କନକ ବ୍ୟୁରୋ : ଟଙ୍କା ବଢ଼ିବ, ଭବିଷ୍ୟତ ସଜାଡ଼ି ହେବ । ଏହି ଆଶାରେ ଲକ୍ଷାଧିକ ଲୋକ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିଥିଲେ । ସେହି ମଧ୍ୟରୁ ସାହାରା ଇଣ୍ଡିଆ ସଂସ୍ଥାରେ ଟଙ୍କା ବି ଜମା ହୋଇଥିଲା । ଟଙ୍କା ତ ମିଳିଲାନି ବରଂ ଜମାକାରୀଙ୍କ ଅବସ୍ଥା ହୋଇଯାଇଛି ଶୋଚନୀୟ । ଭୁବନେଶ୍ୱର ୧ ନମ୍ବର ହାଟରେ ଜରି ପାଲ ଦୋକାନ କରିଥିବା ସୋମେଶ ରେଡ୍ଡୀ । ଜୀବନକାଳରେ ସଞ୍ଚିତ ଧନ ସାହାରା ହାତରେ ଟେକିଦେଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ପ୍ରତିଦିନ ୨ଶହରୁ ୩ଶହ ଟଙ୍କା ସାହାରା ଏଜେଣ୍ଟକୁ ଦେଉଥିଲେ । ଆଶା ଥିଲା ଏକାବେଳେ ଭଲ ପଇସା ପାଇଲେ ବେପାର ବଢ଼େଇବେ । ପିଲାଛୁଆଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବେ । କିନ୍ତୁ ସାହାରା ଇଣ୍ଡିଆରୁ ଟଙ୍କା ନ ମିଳିବାରୁ ସବୁକିଛି ବଦଳିଯାଇଛି । ଯନ୍ତ୍ରଣାରେ ଜୀବନ କାଟୁଛନ୍ତି ସୋମେଶ । ସାହାରା ଇଣ୍ଡିଆରେ ସେ ପାଖପାଖି ୭ଲକ୍ଷ ଜମା କରିଛନ୍ତି । 

Advertisment

ସୋମେଶଙ୍କ ଭଳି ଅରୁପାନନ୍ଦ ଦାସଙ୍କର ବି ସମାନ ଅବସ୍ଥା । ସାହାରା ଇଣ୍ଡିଆର ଜମାକାରୀମାନଙ୍କୁ ଆଉ ୫ ହଜାର କୋଟି ଟଙ୍କା ଫେରସ୍ତ ମିଳିବ । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ, ସେ ବି ନିକଟରେ ସାହାରା ଗ୍ରୁପ୍‌ ପକ୍ଷରୁ ଜମା କରାଯାଇଥିବା ପ୍ରାୟ ୨୫ ହଜାର କୋଟି ଟଙ୍କାରୁ ୫ ହଜାର କୋଟି ଟଙ୍କା ଜମାକାରୀଙ୍କୁ ପ୍ରଦାନ କରାଯିବ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି ସତ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାହାରା ଇଣ୍ଡିଆ ଜମାକାରୀ ସଂଘ । ଲୋକଙ୍କୁ ଭଣ୍ଡାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି । ପର୍ଯ୍ୟାୟକ୍ରମେ ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଉଛି । ଗତ ବର୍ଷ ୫ ହଜାର କୋଟି ଟଙ୍କା ଜମାକାରୀଙ୍କୁ ଦିଆଯାଇଥିଲା । କିନ୍ତୁ ଏବେ ଟଙ୍କା କେବେ ମିଳିବ ତାକୁ ନେଇ ଆଶା ଓ ଆଶଙ୍କାରେ ଅଛନ୍ତି ଜମାକାରୀ ।