କନକ ବ୍ୟୁରୋ : ଚୀନ, ରୁଷ, ଉତ୍ତରକୋରିଆ । ଆମେରିକାର ୩ ବଡ଼ ଶତ୍ରୁ । ଟାରିଫ, ତେଲ, ପରମାଣୁ ହତିଆର ପ୍ରସଙ୍ଗରେ ଏମାନଙ୍କ ସହ ଆମେରିକାର ସମ୍ପର୍କ କିଛି ଭଲ ନାହିଁ । ସେପଟେ ୨୬ ଆମେରିକା ବିରୋଧୀ ଦେଶଙ୍କୁ ନିଜ ବିଜୟ ଦିବସ ପରେଡରେ ନିମନ୍ତ୍ରଣ କରି ଚୀନ୍ ଏକ ବଡ଼ ବାର୍ତ୍ତା ଦେଇଛି । ଦୁନିଆକୁ ନାଲି ଆଖି ଦେଖା ବିଭିନ୍ନ କଥା ମାନିବାକୁ ଚାପ ପକାଉଥିବା ଆମେରିକା, ବର୍ତ୍ତମାନ ବେଜିଂର ଏହି ବଡ଼ ପ୍ରସ୍ତୁତି ଦେଖି ଚିନ୍ତାରେ ପଡ଼ିବଣି । କୁହାଯାଉଛି, ଦ୍ବିତୀୟ ବିଶ୍ବଯୁଦ୍ଧ ୮୦ର ବର୍ଷ ପୂର୍ତ୍ତି ଅବସରରେ ଚୀନର ଏହା ସବୁଠୁ ବଡ଼ ସୈନ୍ୟ ପରେଡ୍ । ଯେଉଁଠି ଅତ୍ୟାଧୁନିକ ଓ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ପ୍ରଦର୍ଶନ କରାଯାଇଛି । ଅର୍ଥାତ ଆମେରିକାକୁ ଉଭୟ କୂଟନୀତି ଓ ସାମରିକ ବଳର ଝଲକ ଦେଖାଇଛି ଚୀନ । କେବଳ ସେତିକି ନୁହେଁ, ଚୀନ ଆମେରିକାର କଠୋର ବିରୋଧୀ, ଇରାନ, ମିଆଁମାର, ଉଜବେକିସ୍ତାନ ପରି ଦେଶଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ରୁଷର ସର୍ବବୃହତ ପରମାଣୁ ଭଣ୍ଡାର, ଚୀନର ଦ୍ରୁତ ବିସ୍ତାର ଏବଂ ଉତ୍ତର କୋରିଆର ଆକ୍ରମଣାତ୍ମକ ମନୋଭାବ, ଏହି ତ୍ରିଶକ୍ତି ମିଳିତ ଭାବରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ସବୁଠାରୁ ବଡ଼ ରଣନୈତିକ ଚ୍ୟାଲେଞ୍ଜ ପାଲଟିଛନ୍ତି। ଯଦି ଏମାନେ ଏକ ମଜଭୁତ ଓ ଦୀର୍ଘକାଳୀନ ରଣନୀତି କରନ୍ତି ତେବେ ଆଗାମୀ ଦିନରେ ଶୀତଳଯୁଦ୍ଧର ରୂପ ନେଇପାରେ ।
ସେପଟେ ଚର୍ଚ୍ଚା ସାଉଁଟିଛି କାଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ଏକ ଭିଡିଓ । ଯେଉଁଥିରେ ଏସସିଓ ସମ୍ମିଟରେ ଭାରତ, ରୁଷ ଓ ଚୀନ ରାଷ୍ଟ୍ରନେତାଙ୍କ ଭିଡିଓ ପୋଷ୍ଟ କରି ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି ଗୋଭିନ ନ୍ୟୁଜମ୍। ଅନ୍ୟପଟେ ଆମେରିକା ସିନେଟର ରୋ ଖନ୍ନା ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ନୋମିନେଟ ନ କରିବାରୁ ୫୦% ଟାରିଫ ଲଗାଯାଇଛି ଓ ଅହଂକାର ପାଇଁ ଭାରତ ସହ ସମ୍ପର୍କ ଖରାପ କରୁଛି ଆମେରିକା । ତେବେ ମନମାନୀ କରୁଥିବା ଆମେରିକା ବଳ ବିସ୍ତାର କରିବା କରିବା ଚକ୍କରରେ ଏଣିକି ଏକଘରିଆ ହେଲାଣି ।