କନକ ବ୍ୟୁରୋ : ଅହମଦାବାଦ ବିମାନ ଦୁର୍ଘଟଣା ପରେ ବିମାନ ଓ ବିମାନବନ୍ଦରର ସୁରକ୍ଷା ନେଇ ସବୁଠି ବଢ଼ିଛି ତତ୍ପରତା । ଭୁବନେଶ୍ୱର ବିମାନ ବନ୍ଦରର ବିମାନ ଟେକ୍-ଅଫ୍ ଓ ଲ୍ୟାଣ୍ଡିଂ ପଥରେ ରହିଛି ପ୍ରତିବନ୍ଧକ । ବିମାନ ଟେକ୍-ଅଫ୍ ପଥରେ ରହିଛି ବଡ଼ ବଡ଼ ଗଛ । ଏପରିକି ରନୱେର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ଅନେକ ବେଆଇନ ଉଚ୍ଚ ଅଟ୍ଟାଳିକା ମଧ୍ୟ ବିମାନବନ୍ଦର ପାଖରେ ଗଢ଼ି ଉଠିଥିବା କହିଛନ୍ତି କର୍ତ୍ତୃପକ୍ଷ । ଗତମାସରେ ହୋଇଥିବା ଏୟାରଫିଲ୍ଡ ଏନଭାର୍ଣ୍ଣମେଣ୍ଟ ମ୍ୟାନେଜମେଣ୍ଟ କମିଟି ବା AEMC ବୈଠକରେ ବିଏମସି କମିସନରଙ୍କୁ ଏନେଇ ଅବଗତ କରାଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।
ତେବେ ଆମେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲୁ । ବିମାନବନ୍ଦରର ଚତୁଃପାର୍ଶ୍ବରେ ରହିଛି ବଡ଼ ବଡ଼ ଅଟ୍ଟାଳିକା । ସୁରକ୍ଷା ଦୃଷ୍ଟିରୁ ଉଚ୍ଚ ଅଟ୍ଟାଳିକାରେ ନାଲି ବତି ଲଗାଇବାର ନିୟମ ଥିବାବେଳେ ଅନେକ ସ୍ଥାନରେ ନିୟମକୁ ବିରୁଦ୍ଧାଚରଣ କରାଯାଇଥିବା ଦେଖିବାକୁ ମିଳିଛି । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ବିମାନଟି ଗନ୍ତବ୍ୟସ୍ଥଳକୁ ନଯାଇ ପୁଣିଥରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ରନଓ୍ବେର ମାତ୍ର କିଛି ଦୂରତାରେ ଓୟୁଏଟିର ଫାର୍ମ ସମେତ ପରୀକ୍ଷା ପାଇଁ ଚାଷଜମି ଥିବାରୁ ସେଠାରେ ବି ଅନେକ ପକ୍ଷୀ ଉଡୁଛନ୍ତି । ଓୟୁଏଟିର ଏହି ଜାଗାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଦାବି ଉଠିଛି । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପ୍ରମୁଖ ବିପଦ ହେଉଛି ପକ୍ଷୀ ଓ ଆଖପାଖର ମାଛ,ମାଂସ ଦୋକାନ । ଏସବୁ ଉପରେ ବଡ଼ ପଦକ୍ଷେପ ନେଇପାରନ୍ତି ରାଜ୍ୟ ସରକାର ।