କନକବ୍ୟୁରୋ : ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖଦ ଖବର  ।  ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ପଙ୍କଜ ଧୀର ଆଉ ନାହାନ୍ତି । ବି-ଆର ଚୋପ୍ରାଙ୍କ ମହାଭାରତରେ ‘କର୍ଣ୍ଣ’ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଟିଥିବା  ବିଶିଷ୍ଠ ଅଭିନେତା ପଙ୍କଜ ଧୀର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କ୍ୟାନସର ସହ ଲଢ଼େଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର କର୍ଣ୍ଣ  ।

Advertisment

ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ତଥା ମହାଭାରତ ଧାରାବାହିକର ‘କର୍ଣ୍ଣ’ ପଙ୍କଜ ଧୀର୍ । ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଚମତକାର ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ  ।  ଦୁଃଖର ବିଷୟ ହେଲା ଯେ, କିଛି ବର୍ଷ ହେଲାଣି କର୍କଟ ରୋଗରେ ଜୀବନ-ମୃତ୍ୟୁ ସହ ଲଢ଼େଇ କରି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ପଙ୍କଜ  ।  ୧୯୮୮ ମସିହାରେ ବି.ଆର. ଚୋପ୍ରାଙ୍କ ମହାଭାରତର ‘କର୍ଣ୍ଣ’ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ସେ ଏହି ଚରିତ୍ରକୁ ଯେଉଁ ଭଳି ଭାବେ ଦର୍ଶକଙ୍କୁ ଦେଖାଇଥିଲେ ତାହା ଏବେ ବି ଅନେକଙ୍କ ମନରେ ଘର କରି ରହିଛି  ।

ଏକ ସାକ୍ଷାତକାରରେ ପଙ୍କଜ କହିଥିଲେ, ପ୍ରଥମେ ଅର୍ଜୁନ ଭୂମିକା ପାଇଁ ଅଡିସନ୍ ଦେଇଥିଲେ ହେଲେ ତାହା ଫିରୋଜ ଖାନଙ୍କୁ ଦିଆ ଯାଇଥିଲା ।  ବଡ଼କଥା ହେଉଛି ମହାଭାରତର ସୁଟିଂ ସମୟରେ ପଙ୍କଜଙ୍କ ଆଖିରେ ଏକ ତୀର ବାଜିଥିଲା ।  ପରେ ତାଙ୍କର ଆଖି ଅସ୍ତ୍ରୋପଚାର କରାଯାଇଥିଲା ।  ମହାଭାରତ ଯୁଦ୍ଧ ଦୃଶ୍ୟ ଗୁଡ଼ିକୁ ଜୀବନ୍ତ କରିବା ପାଇଁ ବି.ଆର. ଚୋପ୍ରା ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ, ଯାହା ଫଳରେ ସେଟରେ ଅନେକ ଅଭିନେତା ଗୁରୁତର ଆହତ ହୋଇଥିଲେ  ।

ଖାଲି ଏତିକି ନୁହେଁ ପଙ୍କଜ ଟିଭି ସୋ’ ଚନ୍ଦ୍ରକାନ୍ତା ଏବଂ ଦି ଗ୍ରେଟ୍ ମରାଠା ଭଳି ପୌରାଣିକ ସୋ’ ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ସୋଲଜର, ବାଦଶାହ ଏବଂ ସଡକ ଭଳି ହିନ୍ଦୀ ଫିଲ୍ମରେ ମଧ୍ୟ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଥିଲେ । ପଙ୍କଜ ଧୀର ୧୯୭୦ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର "ପରୱାନା" ରେ ଜଣେ ସହ ନିର୍ଦ୍ଦେଶକ ଭାବରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପରେ, ସେ ଚଳଚ୍ଚିତ୍ରରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ତେବେ ପଙ୍କଜଙ୍କ ଦେହାନ୍ତ ଖବର ପୂରା ବଲିଉଡ ଜଗତକୁ ସ୍ତବ୍ଧ କରିଦେଇଛି ।