କନକ ବ୍ୟୁରୋ: ରାତି ପାହିଲେ ସ୍ୱତନ୍ତ୍ର ରୀତିନୀତି ସହ ହେଉଛି ମାଆ ଭବାନୀଙ୍କ ପୂଜାର୍ଚ୍ଚନା । ମାଆଙ୍କ ପ୍ରତି ଭକ୍ତଙ୍କ ଅନେକ ଶ୍ରଦ୍ଧା ଓ ବିଶ୍ୱାସ ରହିଛି । ହେଲେ ଅନ୍ୟାନ୍ୟ ଦେବୀ ମନ୍ଦିର ଅପେକ୍ଷା ଏହି ମନ୍ଦିରରେ ରହିଛି ସ୍ୱତନ୍ତ୍ରତା । ଏହି ରହସ୍ୟମୟ ମନ୍ଦିରଟି ହେଉଛି କ୍ଷୀର୍ ଭବାନୀଙ୍କ ପୀଠ । ଜମ୍ମୁ ଶ୍ରୀନଗରଠାରୁ ୨୫ କିଲୋମିଟର ଦୂରରେ ଥିବା ତୁଲ୍ଲମୁଲ୍ଲା ଗାଁରେ ରହିଛି ଦେବୀ ମା’ ଭବାନୀଙ୍କ ପୀଠ । ପ୍ରାୟତଃ କାଶ୍ମୀରରେ ଥିବା ହିନ୍ଦୁମାନେ ଏହି ମନ୍ଦିରରେ ପୂଜା ପାଠ କରିଥାଆନ୍ତି । ପ୍ରତିଦିନ ଏହି ଦେବୀ ପୀଠରେ ଖିରି ଭୋଗ ଲଗାଯାଇଥାଏ । ଏପରିକି ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଏଠାରେ କ୍ଷୀର ଓ ଖିରି ଭୋଗ ଲଗାଇଥାନ୍ତି । ଖୀରି ହେଉଛି ମାଆଙ୍କର ଅତିପ୍ରିୟ । ସେଥିପାଇଁ ଭକ୍ତମାନେ ମାନସିକ କରି ଏଠାରେ ଖିରି ପ୍ରସାଦ ଚଢାଇଥାନ୍ତି । ଖାସ୍ କରି ବସନ୍ତ ଋତୁରେ ଖିରି ଚଢ଼ାଯିବା ସହିତ ଭକ୍ତଙ୍କ ଗହଣରେ ଏହି ଖିରି ବଣ୍ଟନ କରାଯାଇଥାଏ । ଏହି ଆଧାରରେ ମାଆଙ୍କ ନାଁ କ୍ଷୀର ଭବାନୀ ରହିଛି ।
ମାଆଙ୍କ ପୀଠର ଆଉ ଏକ ମହିମା ରହିଛି ପାଣି କୁଣ୍ଡକୁ ନେଇ । ମନ୍ଦିର ପରିସରରେ ଏକ ପାଣି କୁଣ୍ଡ ରହିଛି । ଯେଉଁଠାରେ ଶ୍ରଦ୍ଧାଳୁମାନେ କ୍ଷୀର ଚଢ଼ାଇଥାନ୍ତି । ବର୍ଷସାରା ପାଣିର ରଙ୍ଗ କ୍ଷୀର ଭଳି ଧଳା ରଙ୍ଗର ହୋଇଥାଏ । ହେଲେ କୌଣସି ବିପଦ ଆସିଲେ କୁଆଡ଼େ ପାଣିର ରଙ୍ଗ ହଠାତ୍ କଳା ହୋଇଯାଏ । ପାଣିର ରଙ୍ଗ ପରିବର୍ତ୍ତନ ହିଁ ବିପଦର ସୂଚନା ଦେଇଥାଏ । ତେବେ ଏହି ଘଟଣା ଏବେ ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଲୋକଙ୍କ ଆସ୍ଥା ରହିଛି ଦେବୀ ଭବାନୀଙ୍କ ପ୍ରତି । ଲୋକଙ୍କ ମନରେ ମାଆଙ୍କ ପ୍ରତି ରହିଛି ଅଗାଢ଼ ବିଶ୍ୱାସ ।
ଭାରତରେ ଏମିତି ଅନେକ ମନ୍ଦିର ରହିଛି, ଯେଉଁଠି ଭଗବାନଙ୍କ ଆଶୀର୍ବାଦ ସହ ଚମତ୍କରିତା ଦେଖିବାକୁ ମିଳେ । ଏମିତି ହିଁ ଏକ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁକାଶ୍ମୀରର ଗାନ୍ଦରବଲ ଜିଲ୍ଲା ତୁଲ୍ଲମୁଲ୍ଲା ଗାଁରେ ରହିଛି ଏହି ଦେବୀ ମା’ଙ୍କ ପୀଠ । ପ୍ରାକୃତିକ ସୌଦର୍ଯ୍ୟ ଓ ଧାର୍ମିକ ବିଶ୍ୱାସ ନେଇ ଭକ୍ତମାନେ ଏହି ମନ୍ଦିରକୁ ଛୁଟି ଆସନ୍ତି ।
ମା’ କ୍ଷୀର ଭବାନୀଙ୍କ ଆଉ ଏକ ନାଁ ହେଉଛି ମହାରଜ୍ଞା ଦେବୀ । ଏହି ନାଁରେ ଭକ୍ତମାନେ ମାଆଙ୍କୁ ପୂଜା କରିଥାନ୍ତି । ଖାଲି ସାଧାରଣ ଲୋକ ନୁହଁନ୍ତି, ଏଠାକୁ ବହୁ ବଡ଼ ବଡ଼ ଖ୍ୟାତନାମା ବ୍ୟକ୍ତି ଓ ରାଜନେତା ମଧ୍ୟ ଆସିଥାଆନ୍ତି । ମହାରାଜା ପ୍ରତାପ ସିଂ ଓ ମହାରାଜା ହରି ସିଂ ଏହି ମନ୍ଦିର ନିର୍ମାଣ କରିଥିଲେ । ସେବେଠାରୁ ଲୋକଙ୍କୁ ମାଆ ସୁରକ୍ଷା ଦେଉଥିବା ବିଶ୍ୱାସ ରହିଛି ।