କନକ ବ୍ୟୁରୋ : ଶାବରୀମାଳା ମନ୍ଦିରରୁ ସୁନା ନିଖୋଜ ହେବା ବିବାଦ ଭିତରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ନାଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ଏପରି ଏକ ସମୟ ଥିଲା ଯେତେବେଳେ ଭାରତର ଶ୍ରେଷ୍ଠ ବ୍ୟବସାୟୀମାନଙ୍କ ମଧ୍ୟରେ ଗଣା ଯାଉଥିବା ବିଜୟ ମାଲ୍ୟା ପ୍ରତିବର୍ଷ ଶାବରୀମାଳା ମନ୍ଦିରକୁ ଯାଉଥିଲେ ଏବଂ ଏଥିପାଇଁ ସେ ୪୧ ଦିନ କଠୋର ବ୍ରତ ମଧ୍ୟ ରଖୁଥିଲେ । ୧୯୯୮ ରେ ମାଲ୍ୟା ଆୟାପ୍ପା ମନ୍ଦିରରେ କୋଟି କୋଟି ଟଙ୍କାର ସୁନା ଦାନ କରିଥିଲେ ଯାହାଦ୍ବାରା ମନ୍ଦିରର ଗର୍ଭଗୃହରେ ସୁନାର ପରସ୍ତ କରାଯାଇଥିଲା । କିନ୍ତୁ ୨୭ ବର୍ଷ ପରେ ଏହି ମାମଲାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଜେପି ନେତା କୁମ୍ମନ ରାଜଶେଖରନ ଦାବି କରିଛନ୍ତି ଯେ ବିଜୟ ମାଲ୍ୟାଙ୍କ ଦ୍ୱାରା ଦାନ କରାଯାଇଥିବା ସୁନା ପରସ୍ତ ଏବେ ନିଖୋଜ ହୋଇଯାଇଛି । ସରକାର ଜବାବ ଦେବା ଉଚିତ ଯେ ଠାକୁରଙ୍କ ସୁନା କୁଆଡ଼େ ଗଲା? ବିଜୟ ମାଲ୍ୟା ପ୍ରଭୁ ଆୟାପ୍ପାଙ୍କର ଜଣେ ଭକ୍ତ । ପ୍ରତିବର୍ଷ କେରଳର ଶାବରୀମାଳା ପାହାଡ଼ ମନ୍ଦିରକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମାଲ୍ୟା ମଦ,ମାଂସ ତ୍ୟାଗ କରି ୪୧ ଦିନର କଠୋର ତୀର୍ଥଯାତ୍ରା ଅନୁଷ୍ଠାନ ପାଳନ କରୁଥିଲେ , ଯାହାର ସୂଚନା ୨୦୧୧ ମସିହାରେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ପ୍ରକାଶ କରିଥିଲା ।  

Advertisment

ମାଲ୍ୟା ୨୦ ରୁ ଅଧିକ ଥର ଶାବରୀମାଳା ତୀର୍ଥଯାତ୍ରା କରିଛନ୍ତି । କେବେ କେବେ ବନ୍ଧୁମାନଙ୍କ ସହ ତ ଆଉ କେବେ ଅନ୍ୟ ତୀର୍ଥଯାତ୍ରୀଙ୍କ ପରି ସେ ଏକୁଟିଆ ଯାତ୍ରା କରିବାକୁ ବାହାରି ପଡ଼ୁଥିଲେ । ଅନ୍ୟ ଭକ୍ତଙ୍କ ପରି ସେ ସ୍ବାମୀ ଆୟାପ୍ପାଙ୍କ ଦର୍ଶନ ପାଇଁ ୧୮ ପବିତ୍ର ପାହାଚ ଚଢ଼ିବା ପୂର୍ବରୁ ଯାତ୍ରାର ଶେଷ ୧୦ କିଲୋମିଟର ପର୍ଯ୍ୟନ୍ତ ଖାଲି ପାଦରେ ଚାଲୁଥିଲେ। ତେବେ ମନ୍ଦିର ଗର୍ଭଗୃହର ଛାତରେ ସୁନା ପରସ୍ତ ଲଗାଇବା ପାଇଁ ମାଲ୍ୟାଙ୍କ ଯୋଗଦାନ ଥିବା ସତ୍ତ୍ବେ ସେ ଆରମ୍ଭରୁ ହିଁ ଏହି ପ୍ରସଙ୍ଗରେ ସମାଲୋଚିତ ହୋଇ ଆସିଥିଲେ । ଆଇନଗତ ଯାଞ୍ଚ ପରେ କେରଳ ଉଚ୍ଚ ନ୍ୟାୟାଳୟ ତାଙ୍କ ଦ୍ୱାରା ଦିଆଯାଇଥିବା ୩୨ କିଲୋ ସୁନା ଏବଂ ତମ୍ବା ଦାନକୁ ଅନୁମୋଦନ କରିଥିଲେ, ଏହି ପ୍ରକଳ୍ପର ମୂଲ୍ୟ ୧୯୯୮ ରେ ପ୍ରାୟ ୧୮ କୋଟି ଟଙ୍କା ଥିଲା ବୋଲି କୁହାଯାଇଥିଲା ।

ମାଲ୍ୟା ଏବଂ ତାଙ୍କ ପତ୍ନୀ ରେଖା ବେଙ୍ଗାଲୁରୁର ଜାଲାହଲ୍ଲୀରେ ଥିବା ଆୟାପ୍ପା ମନ୍ଦିରର ଖମ୍ବଗୁଡିକରେ ସୁନା ପରସ୍ତ କରିବାରେ ମଧ୍ୟ ସହଯୋଗ କରିଥିଲେ । ମାଲ୍ୟାଙ୍କ ଆସ୍ଥା ତାଙ୍କ ବ୍ୟବସାୟକୁ ମଧ୍ୟ ପ୍ରଭାବିତ କରିଥିଲା, ତାଙ୍କ ଦ୍ୱାରା କିଣାଯାଇଥିବା ନୂଆ  କିଙ୍ଗଫିଶର ଏୟାରଲାଇନ୍ସର ବିମାନ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ତିରୁପତି ଭେଙ୍କଟେଶ୍ୱର ମନ୍ଦିର ପରିକ୍ରମା କରୁଥିଲା ।