କନକ ବ୍ୟୁରୋ : ସ୍ୱାବଲମ୍ୱୀ ହେବା ପାଇଁ ରାସ୍ତା ଦେଖାଇଛି ସବାଇ ଘାସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଦେବକୁମାର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ଅବସର ସମୟର ଅପଚୟ ହେଉନି । ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ତିଆରି କରି ମହିଳାମାନେ ମାସିକ ପ୍ରାୟ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି ।  

Advertisment

ସବାଇ ଘାସ ଏକ ଟାଣ ତଥା ନମନୀୟ ପ୍ରାକୃତିକ ତନ୍ତୁ ।  ଏହା ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଜଙ୍ଗଲ ଓ  ପାହାଡ଼ିଆ ଅଞ୍ଚଳରେ ବଢ଼ିଥାଏ । ବହୁବର୍ଷ ଧରି ଆଦିବାସୀ ସମ୍ପ୍ରଦାୟ ଏହି ଘାସରେ କେବଳ ଦଉଡ଼ି ତିଆରି କରୁଥିଲେ ।  ଏବେ ସବାଇ ଘାସରେ ଟୋକେଇ, ମ୍ୟାଟ୍, ଟ୍ରେ, ବ୍ୟାଗ୍, ଲ୍ୟାମ୍ପସେଡ୍ ଏବଂ ଫର୍ଣ୍ଣିଚର ଭଳି ସୁନ୍ଦର ଘରୋଇ ଉପକରଣ ତିଆରି କରୁଛନ୍ତି  । ସବାଇ ଘାସକୁ କାଟି ଶୁଖାଯାଏ  । ପରେ ପ୍ରାକୃତିକ ରଙ୍ଗ ଦେଇ ବିଭିନ୍ନ ଡିଜାଇନରେ ବିଭିନ୍ନ ଜିନିଷ ତିଆରି କରାଯାଏ । ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ପରିବେଶ ଅନୁକୂଳ ଏବଂ ଦୀର୍ଘସ୍ଥାୟୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଦେବକୁମାର ଗାଁର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ସବାଇ ଘାସରୁ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ଅର୍ଜନ କରୁଛନ୍ତି । ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ଏହା ଏକ ଆୟର ଉତ୍ସ ପାଲଟିଛି । 

ଗାଁର ୧୦ ଜଣ ମହିଳା ୨୦୦୫ ମସିହାରେ ଶବଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ମାସକୁ ୧୦୦ ଟଙ୍କା ଲେଖାଏଁ ସଞ୍ଚୟ କରୁଥିଲେ । ପରେ ଓରମାସ ଜରିଆରେ ପ୍ରଶିକ୍ଷଣ ନେଇ ସବାଇ ଘାସରୁ ବିଭିନ୍ନ ପ୍ରକାରର ଗୃହ ଉପକରଣ ପ୍ରସ୍ତୁତ କଲେ । ଏବେ ୨୩ ଜଣ ମହିଳା ଶିବଶକ୍ତି ସ୍ୱୟଂ ସହାୟିକା ଉତ୍ପାଦକ ଗୋଷ୍ଠୀ ଗଠନ କରି ସବାଇ ଘାସରୁ ବିଭିନ୍ନ ପ୍ରକାର  ସାମଗ୍ରୀ ହାତରେ ପ୍ରସ୍ତୁତ କରୁଛନ୍ତି । ଏହା  ରାଜ୍ୟ ଓ ରାଜ୍ୟ ବାହାରେ ଭଲ ବିକ୍ରି ହେଉଛି । ଗାଁର ଅନ୍ୟ ମହିଳାମାନେ ମଧ୍ୟ ପ୍ରଶିକ୍ଷଣ ନେଇ ଏହି ଗୋଷ୍ଠୀରେ ସାମିଲ  ହେଉଛନ୍ତି । ମହିଳାଙ୍କ ହାତ ତିଆରି ସବାଇ ଘାସ ଜିନିଷ ରାଜ୍ୟ ତଥା ରାଜ୍ୟ ବାହାରେ ଭଲ  ବିକ୍ରି ହେଉଛି ।  ମହିଳାମାନେ ମାସକୁ ୪ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର  କରୁଛନ୍ତି । 

ମହିଳାମାନେ ସବାଇ ଘାସ ସହିତ ଖଜୁରୀ ପତ୍ରରୁ ଡଷ୍ଟବିନ୍‌, ମ୍ୟାଟ୍‌, ଫୁଲ ଚାଙ୍ଗୁଡି, ପେନ୍‌ଷ୍ଟାଣ୍ଡ, ବିଞ୍ଚଣା, ବାକ୍ସ ସହ ବିଭିନ୍ନ ପ୍ରକାର ଘରସଜ୍ଜା ସମଗ୍ରୀ ତିଆରି କରୁଛନ୍ତି । ସାମଗ୍ରୀଗୁଡ଼ିକ ଓଡ଼ିଶା ସମେତ ହାରିୟାଣା, ଗୋଆ, ଗୁଜରାଟ, ଆସାମ, ହାଇଦ୍ରାବାଦ, ବିଜୟୱାଡା, ଦାର୍ଜିଲିଂରେ ବିକ୍ରି ହେଉଛି। ମେଳା ମହୋତ୍ସବରେ ମହିଳାମାନେ ଷ୍ଟଲ୍ ଖୋଲି ବିକ୍ରି କରୁଛନ୍ତି । ରୋଜଗାର ହେଉଥିବା ଅର୍ଥରେ ମହିଳାମାନେ ଘର ଖର୍ଚ୍ଚ ଉଠାଉଛନ୍ତି । ନିଜ ହାତଖର୍ଚ୍ଚ ସହିତ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ଉଠୁଛି । ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁନାହିଁ ।