କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳର ମଧୁସ୍ମିତା ପୃଷ୍ଟି । ମଧୁସ୍ମିତା ହେଉଛନ୍ତି ଅଜଣା ଅଚିହ୍ନା ତଥା ଖଣ୍ଡ ବିଖଣ୍ଡିତ ପଚାସଢ଼ା ଶବର ଶେଷ ସାଥି । କୋଭିଡ୍ ହେଉ କି ବାହାନଗା ଟ୍ରେନ୍ ଦୁର୍ଘଟଣା ପର୍ଯ୍ୟନ୍ତ, ଯେଉଁଠି ମୃତକଙ୍କ ସମ୍ପର୍କୀୟ ପଚା ସଢ଼ା ଖଣ୍ଡ ବିଖଣ୍ଡିତ ଶବ ଛୁଇଁବାକୁ ପଛଘୁଞ୍ଚା ଦିଅନ୍ତି ସେଠି ଆଗେଇ ଆସନ୍ତି ମଧୁସ୍ମିତା । ସେଥିପାଇଁ ତ ନର୍ସିଂ ଚାକିରି ଛାଡ଼ି ସେ ତାଙ୍କ ସ୍ବାମୀଙ୍କ ପ୍ରଦୀପ ସେବା ଟ୍ରଷ୍ଟରେ ଯୋଗ ଦେଇଛନ୍ତି । ଦୀର୍ଘ ସାତ ବର୍ଷରେ ପ୍ରାୟ ଦୁଇ ହଜାରରୁ ଅଧିକ ଶବ ସଂସ୍କାର କଲେଣି । ବିଶେଷ କରି ରେଲୱେ ଟ୍ରାକରେ ପଡ଼ିଥିବା ମୃତ ଦେହ, ବସ୍ତିବାସିନ୍ଦାଙ୍କ ମୃତଦେହ ଦାହ କରିବା ମଧୁସ୍ମିତାଙ୍କ ଏବେ ନିତିଦିନିଆ କାମ ପଲଟିଲାଣି ।
- ନିଜେ ଆମ୍ବୁଲାନ୍ସ ଚଲାଇ ଶବ ବୁହନ୍ତି
- ବାଧା ସାଜିନି ଘୃଣା ଅପବାଦ
ନିଜ କାମ ପାଇଁ ସମାଜ ଆଗରେ ଉଦାହରଣ ସାଜିଛନ୍ତି ମଧୁସ୍ମିତା । ଅଜଣା ଅଚିହ୍ନା ଶବକୁ ନିଜ ଆମ୍ବୁଲାନ୍ସରେ ବୁହାଇ ଶ୍ମଶାନ ନିଅନ୍ତି ମଧୁସ୍ମିତା ଆଉ ସେହି ଗାଡ଼ି ନିଜେ ମଧୁସ୍ମିତା ହିଁ ଚଲାନ୍ତି । ଝିଅ ହୋଇ ଏଭଳି କାମ କରୁଥିବାରୁ ଅନେକ ସମୟରେ ନିନ୍ଦା ଅପବାଦକୁ ସାମ୍ନା କରିଛନ୍ତି ମଧୁସ୍ମିତା । ହେଲେ କେବେ ସେ ଭାଙ୍ଗି ପଡ଼ି ନାହାଁନ୍ତି । ସ୍ବାମୀ ବି ମଧୁସ୍ମିତାଙ୍କ ସାଥ୍ ଦେଇଛନ୍ତି ।
ନିଷ୍ଠାପର ଓ ନିଃସ୍ଵାର୍ଥପର କାମ ପାଇଁ ମଧୁସ୍ମିତା ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମଧୁସ୍ମିତା । ସେବା ହିଁ ଧର୍ମ , ଏଇ ଭାବନା ନେଇ ଆଗକୁ ବଢ଼ି ଚାଲିଛନ୍ତି ମଧୁସ୍ମିତା । ଆଗରୁ ରୋଗୀ ସେବା କରୁଥିଲେ ଆଉ ଏବେ ପାଲଟିଛନ୍ତି ଶବର ସାଥି ।