କନକ ବ୍ୟୁରୋ: ପୁଣି ଅଡୁଆରେ ଟିମ୍ ଇଣ୍ଡିଆର ପୂର୍ବତନ ଫାଷ୍ଟ ବୋଲର ଏସ୍.ଶ୍ରୀସନ୍ଥ । କେରଳ କ୍ରିକେଟ୍ ଆସୋସିଏସନ୍ ଏବେ ଏହି ପୂର୍ବତନ ଭାରତୀୟ ଦ୍ରୁତ ବୋଲରଙ୍କ ବିରୋଧରେ ଆକ୍ସନ୍ ନେବା ସହିତ, ତାଙ୍କୁ ବାସନ୍ଦ କରିଛି । ତେବେ ମିଳିଥିବା ସୂଚନା ମୁତାବକ, କେରଳ କ୍ରିକେଟ୍ ଆସୋସିଏସନ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଛି ।
ଜାଣିରଖିବା ଉଚିତ୍ ଯେ, କେରଳ କ୍ରିକେଟ୍ ଲିଗରେ କୋଲ୍ଲମ ଏରିସ୍ ଟିମର ସହ ମାଲିକ ଅଛନ୍ତି ଏସ୍.ଶ୍ରୀସନ୍ଥ । ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଟିମରେ ସଞ୍ଜୁ ସାମସନ୍ ଭାରତୀୟ ଦଳରୁ ବାହାରେ ରହିବା ନେଇ, ସେ କେସିଏ (କେରଳ କ୍ରିକେଟ୍ ଆସୋସିଏସନ୍) ଦାୟୀ କରିଥିଲେ । ଦୁଇଥର ବିଶ୍ୱକପ୍ ବିଜେତା ଏହି କ୍ରିକେଟର ଜଣକ ସଞ୍ଜୁ ସାମସନଙ୍କୁ ସମର୍ଥନ କରିବା ସହ କେସିଏ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ।
ଏହାପରେ କେସିଏ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଏହାସହ କାହିଁକି ସେ ଏଭଳି ଅପମାନଜନକ ମନ୍ତବ୍ୟ ଦେଲେ ତାର ଉତ୍ତର ଦାବି କରିଥିଲା । ହେଲେ କାରଣ ଦର୍ଶାଅ ନୋଟିସ୍ ପରେ ମଧ୍ୟ ଶ୍ରୀସନ୍ଥ ପଛକୁ ହଟିନଥିଲେ । ସେ କହିଥିଲେ ଯେ, କେସିଏ ଅଲଗା ରାଜ୍ୟରୁ ଖେଳାଳି ଆଣି ଖେଳାଉଛନ୍ତି । ଯାହାକି ମାଲାୟାଲୀ କ୍ରିକେଟରଙ୍କ ପାଇଁ ଅପମାନର କଥା ।
ସୂଚନାଯୋଗ୍ୟ ଯେ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସଞ୍ଜୁ ସାମସନ୍ ଦଳର ଅଭ୍ୟାସ ଶିବିରରେ ଯୋଗଦେବା ପାଇଁ ମନା କରିଥିଲେ । ଏହାପରେ କେରଳ କ୍ରିକେଟ୍ ଟିମରେ ତାଙ୍କୁ ସାମିଲ କରାଯାଇନଥିଲା । ଯେଉଁ କାରଣରୁ ତାଙ୍କର ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେବାର ସମ୍ଭାବନା କମିଯାଇଥିଲା ବୋଲି କୁହାଯାଉଛି । ଆଉ ଏପରି ସ୍ଥିତି ଶ୍ରୀସନ୍ଥଙ୍କ ଏଭଳି ବିବାଦୀୟ ବୟାନ, କେରଳ କ୍ରିକେଟ୍ ଆସୋସିଏସନ ପାଇଁ ନିଶ୍ଚିତ ପକ୍ଷେ ଅପମାନଜନକ । ଯାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଛି କେସିଏ ।