କନକ ବ୍ୟୁରୋ: ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଜେପିକୁ ଆଡ଼କୁ ଢଳୁଛନ୍ତି କି? ମୋଦୀ ଶାହାଙ୍କ ବିଶ୍ୱସ୍ତ ହେବାକୁ ଚେଷ୍ଟା କରୁଛନ୍ତି ବିଜେଡି ସାଂସଦ? ଏଭଳି କିଛି ପ୍ରଶ୍ନ ଏଥିପାଇଁ ଉଠିଛି, କାହିଁକି ନା ଓ୍ୱାକଫ୍ ବିଲକୁ ସମର୍ଥନ ଦେଇଛନ୍ତି ଏହି ବିଜେଡି ନେତା । ଯେତେବେଳେ ବିଜେଡି ରାଜ୍ୟରେ ବିରୋଧୀ ଦଳ ଆସନରେ ବସିଛି, ଆଉ ଶାସନରେ ବିଜେପି ଅଛି । ସେତେବେଳେ ଚର୍ଚ୍ଚା ହେଉଥିଲା ମୋଦୀଙ୍କ ଓ୍ୱାକଫ୍ ବିଲକୁ ବିରୋଧ କରିପାରେ ବିଜେଡି । ହେଲେ ସେମିତି କିଛି ବି ହେଇନଥିଲେ ବି, ଏବେ ଏହି ବିଲକୁ ସମର୍ଥନ ଦେଇ କିଛି ବଡ଼ ସୁରାକ୍ ଦେଇଛନ୍ତି ସସ୍ମିତ ପାତ୍ର ।
ଉଭୟ ଲୋକସଭା ସହିତ ରାଜ୍ୟସଭାରେ ଓ୍ୱାକଫ୍ ବିଲ୍ ପାସ୍ ହେଇସାରିଛି । ଆଉ ଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ସସ୍ମିତ ପାତ୍ର । ଏଏନଆଇକୁ ପ୍ରତିକ୍ରିୟା ଦେଇ ସସ୍ମିତ କହିଛନ୍ତି, ସେ ଓ୍ୱାକଫ୍ ବିଲ୍ ସମର୍ଥନରେ ଭୋଟ୍ ଦେଇଛନ୍ତି । ତେବେ ବିଜେଡି ସାଂସଦମାନେ ବିବେକ୍ ଅନୁସାରେ ଭୋଟ୍ ଦେବା ନେଇ କୁହାଯାଇଥିଲା । ତେଣୁ ସେ ଏହି ବିଲକୁ ସମର୍ଥନ କରିଛନ୍ତି । ତେବେ ଦଳର ଅନ୍ୟ ସାଂସଦମାନେ ବିଲକୁ ସମର୍ଥନ କରିଛନ୍ତି କି, ନାହିଁ, ତାହା ସେ କହିପାରିବେନି ବୋଲି କହିଛନ୍ତି ସସ୍ମିତ ପାତ୍ର ।
The Biju Janata Dal has always upheld the principles of secularism and inclusivity, ensuring the rights of all communities. We deeply respect the diverse sentiments expressed by different sections of the Minority communities regarding the Waqf (Amendment) Bill, 2024. Our Party,…
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) April 3, 2025
ବିଜେଡିର ଏହି ନେତା ପ୍ରଥମେ ଓ୍ୱାକଫ୍ ବିଲକୁ ତାଙ୍କ ଦଳ ବିରୋଧ କରିବ ବୋଲି କହିଥିଲେ । ହେଲେ ତା ପରେ ପରେ କିନ୍ତୁ, ନିଜେ ଟୁଇଟ୍ କରି କହିଥିଲେ, ଓ୍ୱାକଫ ବିଲକୁ ନେଇ ବିଜେଡି ସାଂସଦଙ୍କ ଉପରେ କୌଣସି ହ୍ୱିପ୍ ଜାରି କରାଯାଇନି । ଯେଉଁ କାରଣରୁ ସାଂସଦମାନେ ନିଜର ବିବେକ ଅନୁସାରେ ଭୋଟ୍ ଦେବେ । ଆଉ ସତକୁ ସତ, ଏହି ବିଲ ସମର୍ଥନରେ ଭୋଟ୍ ଦେଇଛନ୍ତି ନିଜେ ସସ୍ମିତ ପାତ୍ର ।
ରାଜ୍ୟସଭାରେ ଯେତେବେଳେ ଓ୍ୱାକଫ୍ ବିଲ୍ ଆଗତ ହେଇଥିଲା । ସେତେବେଳେ ବିଜେଡି ନେତା ମୁନ୍ନା ଖାଁ ଏହାକୁ ବିରୋଧ କରିଥିଲେ । ଓ୍ୱାକଫର ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ । ଆଉ ବିଲକୁ ନେଇ ମୁସଲମାନଙ୍କ ଭିତରେ ରହିଥିବା ଆଶଙ୍କାକୁ ଦୂର କରାଯାଉ ବୋଲି ସେ ଦାବି କରିଥିଲେ । ହେଲେ ତାଙ୍କରି ଦଳର ଆଉ ଜଣେ ସାଂସଦ କିନ୍ତୁ ଏହି ବିଲ୍ ସପକ୍ଷରେ ଭୋଟ୍ ଦେବା, ଓଡ଼ିଶା ରାଜନୀତିକୁ ସରଗରମ କରିଛି । କାହିଁକି ନା, ଗୋଟିଏ ପଟେ ବିଜେଡିର ଜଣେ ସାଂସଦ ବିଲକୁ ବିରୋଧ କରୁଥିବାବେଳେ, ଆଉ ଜଣେ ସାଂସଦ କିନ୍ତୁ ଏହାକୁ ସମର୍ଥନ କରିଛନ୍ତି ।
ଅନେକ ସମୟରେ ବିଜେଡି ଓ ବିଜେପି ଏକ୍ ବୋଲି ଚର୍ଚ୍ଚା ହୁଏ । କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଗୁରୁବାର ଏନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ । ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ କରିବାକୁ ବିଜେଡି, ବିଜେପିକୁ ସପୋର୍ଟ କରିଥିଲା ବୋଲି ତାରା ଅଭିଯୋଗ କରିଥିଲେ । ଆଉ ତାର ଦିନକ ପରେ, ଓ୍ୱାକଫ୍ ବିଲକୁ ନେଇ ବିଜେଡି ସାଂସଦଙ୍କ ଏ ଦୁଇଟି ମତ, ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।