କନକବ୍ୟୁରୋ : ବିଜେପିର ନିକଟତର ହେଉଛନ୍ତି କି ଅମର ଶତପଥୀ। ହରେକୃଷ୍ଣ ମହତାବ ଜନ୍ମଜୟନ୍ତୀ ପାଇଁ କେନ୍ଦ୍ରର ଉଚ୍ଚସ୍ତରୀୟ କମିଟିରେ ମିଳିଲା ସ୍ଥାନ। ୩ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ମିଳିଛି । ଅମିତଙ୍କ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅମର ଶତପଥିଙ୍କ ନାଁ ରହିଥିବା ବେଳେ ସେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି ।
ବୁଧବାର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଏକ୍ସ-ଅଫିସୋ ସଦସ୍ୟ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ମ୍ୟୁଜିୟମ ଓ ଲାଇବ୍ରେରୀ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏକ୍ସ-ଅଫିସୋ ସଦସ୍ୟ ଓ ସଂସ୍କୃତି ସଚିବ ଅରୁନିଶ୍ ଚାୱାଲା କମିଟିର ସଦସ୍ୟ ସଚିବ ଅଛନ୍ତି ।