କନକ ବ୍ୟୁରୋ : ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଘରୁ ବାହାରିଲା ୧୫ କୋଟିରୁ ଅଧିକ ଟଙ୍କା, ୭ ଦାମୀ ପ୍ଲଟ୍, ୨ ଫ୍ଲାଟ୍ ସହିତ ୧୨ଶହ ଗ୍ରାମ୍ ସୁନା ।
ମେ’ ୩୧ରେ ଅର୍ଥାତ୍ ଆଜି ଚାକିରିରୁ ଅବସର ନେଇଥାଆନ୍ତେ । ତା’ ପୂର୍ବରୁ ମାଡ଼ିବସିଥିଲା ଭିଜିଲାନ୍ସ । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟ ଦେଖି ଖୋଦ ଭିଜିଲାନ୍ସର ଆଖି ଟେରା ହୋଇଯାଇଛି । କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା । ରାଜଧାନୀଠାରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼ । ଭିଜିଲାନ୍ସ ଟିମ୍ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍ ବଜାଇବାବେଳେ ଘର ଲୋକ କବାଟ ନଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍ ଫିଙ୍ଗି ଚାଲିଥିଲେ । ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା । ନାକେଦମ୍ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ । ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା । ଭିଜିଲାନ୍ସର ୭ଟି ଟିମ୍ ଗତକାଲି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆ ସ୍ଥିତ ବାସଭବନ ଓ ଲୋକେଇପଶି ସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ସହ ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ।