କନକ ବ୍ୟୁରୋ: ଋଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବଡ଼ ଘୋଷଣା । ପବିତ୍ର ଇଷ୍ଟର ଅବସରରେ ତିନି ଦିନ ଯୁଦ୍ଧ ବିରାମ ଘୋଷଣା କଲେ ପୁଟିନ। ଯୁଦ୍ଧ ଆରମ୍ଭ ହେବା ଦିନରୁ ଗତ ତିନି ବର୍ଷରେ ପ୍ରଥମ ଥର ପାଇଁ ଯୁଦ୍ଧ ବିରାମ ଘୋଷଣା ହୋଇଛି । କ୍ରେମଲିନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନେଇଛନ୍ତି ରୁଷର ସୁପ୍ରିମ କମାଣ୍ଡର ଇନ ଚିଫ୍ । ବୈଠକ ପରେ ପୁଟିନ କହିଛନ୍ତି, ଇଷ୍ଟର ପର୍ବକୁ ଆଖିରେ ମାନବିକତା ଦୃଷ୍ଟିକୋଣରୁ ଯୁଦ୍ଧ ବିରତି ଘୋଷଣା କରାଯାଇଛି । 

Advertisment

ଆଉ ଆଶା କରାଯାଉଛି ୟୁକ୍ରେନ ମଧ୍ୟ ସେମିତି କରିବ। ଋଷ୍‌ର ନିଷ୍ପତ୍ତିକୁ ସମ୍ମାନ ଦେଇ ଯୁଦ୍ଧ ବିରାମ ଘୋଷଣା କରିବାକୁ ୟୁକ୍ରେନକୁ ଅପିଲ କରିଛନ୍ତି ରୁଷ ରାଷ୍ଟ୍ରପତି । ଏଥିସହ ରୁଷ ସୈନିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଶତ୍ରୁ ପକ୍ଷରୁ ଯୁଦ୍ଧ ବିରାମର ଉଲ୍ଲଂଘନ କରାଗଲେ କ୍ରେମଲିନ ସେନା ମୁହଁତୋଡ଼ ଜବାବ ଦେବ ବୋଲି କହିଛନ୍ତି ଭ୍ଲାଦମିର ପୁଟିନ। ଏପ୍ରିଲ ୧୯ ତାରିଖରେ ମସ୍କୋ ସମୟ ଅନୁସାରେ ସନ୍ଧ୍ୟା ୬ଟାରୁ ଏପ୍ରିଲ ୨୧ ତାରିଖ ରାତି ୧୨ଟା ଯାଏଁ ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଛି । ଏହି ଅବସରରେ ଦୁଇ ଦେଶ ମଧ୍ୟ ଯୁଦ୍ଧବନ୍ଦୀଙ୍କୁ ଅଦଲବଦଳ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି ।