କନକ ବ୍ୟୁରୋ: ତାଲିବାନକୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ । ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯଦ୍ୱାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍ ଡୁମାରେ ପାରିତ ଏହି ଆଇନ ବଳରେ ଆଫଗାନିସ୍ତାନର ତାଲିବାନ୍ ଏବଂ ସିରିଆର ନୂଆ ନେତୃତ୍ୱ ସହ ସମ୍ପର୍କ ସ୍ବାଭାବିକ କରିବା ପାଇଁ ମସ୍କୋର ବାଟ ଫିଟିଯିବ ବୋଲି ଆଶା କରାଯାଉଛି । ରୁଷିଆର ଆତଙ୍କବାଦୀ ତାଲିକାରେ ୨୦୦୩ ଫେବୃଆରୀରେ ତାଲିବାନ୍ ଏବଂ ୨୦୨୦ରେ ସିରିଆର ହୟାତ୍ ତହରିର୍ ଅଲ୍-ଶାମ୍ (ଏଚ୍ଟିଏସ୍)କୁ ତାଲିକାଭୁକ୍ତ କରାଯାଇଥିଲା। ଦୀର୍ଘ ୨୦ ବର୍ଷ ଧରି ଆଫଗାନିସ୍ତାନରେ ରହିଥିବା ଆମେରିକୀୟ ସୈନ୍ୟ ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ୨୦୨୧ ଅଗଷ୍ଟରେ ଇସ୍ଲାମୀୟ ସଙ୍ଗଠନ କ୍ଷମତା ଦଖଲ କରିଥିଲା। ଗତ ଜୁଲାଇରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଥିଲେ, ତାଲିବାନ୍ ଏବେ ଆତଙ୍କବାଦ ନିରୋଧୀ ଲଢ଼େଇରେ ମସ୍କୋର ସହଯୋଗୀ ପାଲଟିଯାଇଛି। ଆଫଗାନିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଏହି ୨ ସଙ୍ଗଠନ ମସ୍କୋର ପତିଆରା ହ୍ରାସ କରିଥିବାରୁ ରୁଷିଆ ସେମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା କରି ପୁନଃ ଆଧିପତ୍ୟ ବଜାୟ ରଖିବା ପାଇଁ ଏପରି ଯୋଜନା କରୁଥିବା କୁହାଯାଉଛି। ତେବେ ତାଲିବାନକୁ ଭାରତ ସମେତ ଅନେକ ଦେଶ ଆତଙ୍କବାଦୀ ସଂଗଠନ ଶ୍ରେଣୀରେ ରଖିଛନ୍ତି । 1999ର ବହୁ ଚର୍ଚ୍ଚିତ କାନ୍ଦହାର ବିମାନ ଅପହରଣରେ ରହିଥିଲା ଏହି ତାଲିବାନର ହାତ । ଯାହାଫଳରେ ସେତେବେଳେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଝରକୁ ଭାରତରୁ ମୁକୁଳାଇ ନେଇଥିଳେ ଆତଙ୍କବାଦୀ ମାନେ ।
ତାଲିବାନ୍ ଆତଙ୍କୀ ସଂଗଠନ ନୁହେଁ!
- ତାଲିବାନ୍କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ
- ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି
- ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ସଙ୍ଗଠନ ଉପରୁ ହଟିବ କଟକଣା
- ସିରିଆ ଓ ଆଫଗାନିସ୍ତାନ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି ରୁଷ୍
- ୨୦୦୩ରେ ତାଲିବାନକୁ ଆତଙ୍କୀ ସଂଗଠନ ଘୋଷଣା କରିଥିଲା ରୁଷ୍
- ଆଫଗାନିସ୍ତାନରେ ୨୦୨୧ ଚାଲିଛି ତାଲିବାନ ସରକାର
- ସେହିପରି ସିରିଆର ବିଦ୍ରୋହୀ ସଙ୍ଗଠନ ବି ହଟିବ ଆତଙ୍କବାଦୀ ଶ୍ରେଣୀରୁ
- ବିଦ୍ରୋହୀ ସଂଗଠନ ହୟାତ୍ ତହରିର୍ ଅଲ୍-ଶାମ୍ ଉପରୁ ହଟିବ କଟକଣା