କନକ ବ୍ୟୁରୋ: ଉଗ୍ର ହୋଇପାରେ ରୁଷ-ୟୁକ୍ରେନ ଯୁଦ୍ଧ ।ଏହି ଆଶଙ୍କା ଏଥିପାଇଁ ଦେଖାଦେଇଛି କାରଣ ୟୁକ୍ରେନକୁ ଶକ୍ତିଶାଳୀ ତଥା ଅତ୍ୟାଧୁନିକ ପାଟ୍ରିୟଟ୍‌ ମିସାଇଲ ଦେବାକୁ ଘୋଷଣା କରିଛି ଆମେରିକା । କୁହାଯାଉଛି ରୁଷ ରାଷ୍ଟ୍ରପତିଙ୍କ ଉପରେ ରାଗିବା ସହ ଆଲୋଚନା ଭିତରେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି

Advertisment

ଯୁଦ୍ଧକୁ ଓହ୍ଲାଇବ ପାଟ୍ରିୟଟ୍‌ ମିସାଇଲ

ପୁଟିନଙ୍କ ଉପରେ ମୋର ଆଉ ଭରସା ନାହିଁ । ମିଠାମିଠା କଥା କହି ବିଶ୍ବାସ ଭାଙ୍ଗୁଛନ୍ତି । ଆଲୋଚନା ଭିତରେ ୟୁକ୍ରେନକୁ ଆକ୍ରମଣ କରୁଛନ୍ତି । ଦିନରେ ଶାନ୍ତି ଆଲୋଚନା କରୁଛନ୍ତି, ରାତିରେ ବୋମା ବର୍ଷା କରୁଛନ୍ତି । ୟୁକ୍ରେନକୁ ଅଧିକ ସାମରିକ ସହାୟତା ଦରକାର । ଯୁଦ୍ଧ ଭୂମିକୁ ଆମେରିକା ପଠାଇବ ଘାତକ ପାଟ୍ରିୟଟ୍‌ ମିସାଇଲ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନ ରୁଷ-ୟୁକ୍ରେନ ଯୁଦ୍ଧକୁ ଅଧିକ ଉଗ୍ର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହି ବିବୃତି ସହ ଟ୍ରମ୍ପ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯୁଦ୍ଧ ବନ୍ଦ କରିବାକୁ ଆମେରିକା ଚାହୁଛି, କିନ୍ତୁ ରୁଷର ମତିଗତି କିଛି ଠିକ୍‌ ନାହିଁ । ତେଣୁ ୟୁକ୍ରେନକୁ ସାମରିକ ସହାୟତା ଦେବ ପେଣ୍ଟାଗନ । ଆବଶ୍ୟକ ପଡ଼ିଲେ ଘାତକ ତଥା ଶକ୍ତିଶାଳୀ ପାଟ୍ରିୟଟ୍‌ ମିସାଇଲ ପଠାଯିବ । ତେବେ ଯୁଦ୍ଧକୁ ନୂଆ ମୋଡ଼ ଦେଇପାରେ ଏହି ପାଟ୍ରିୟଟ୍‌ ମିସାଇଲ

ୟୁକ୍ରେନ୍‌ ପାଇବ ‘ପାଟ୍ରିୟଟ୍‌’ ମିସାଇଲ
-ଏହା ଅତ୍ୟାଧୁନିକ, ଘାତକ, ଶକ୍ତିଶାଳୀ ମିସାଇଲ
-ଲକ୍ଷ୍ୟଭେଦ କ୍ଷମତା ୨୪ କିଲୋମିଟର
-ଭୂମିରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା
-ବାଲିଷ୍ଟିକ୍‌, କ୍ରୁଜ୍ ମିସାଇଲକୁ ପ୍ରତିରୋଧ କରିପାରେ
-ସବୁପ୍ରକାର ପାଣିପାଗରେ କାର୍ଯ୍ୟକାରୀ କରିହେବ

ୟୁକ୍ରେନକୁ ଏହି ଶକ୍ତିଶାଳୀ ମିସାଇଲ ଦେବା ସହ ଋଷିଆ ଉପରେ ଏକାଧିକ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛି ଆମେରିକା । ଏପରିକି ସଂସଦରେ ନୂଆ ବିଲ୍‌ ଆଣିପାରନ୍ତି ଟ୍ରମ୍ପ୍‌ ସରକାର । ଅନ୍ୟପଟେ ଆମେରିକାଠୁ ଅଧିକ ସାମରିକ ସହାୟତା ଲୋଡୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ଟ୍ରମ୍ପ ପ୍ରଶାସନ ସହାୟତା କରିବ ନା ନାହିଁ ସେନେଇ କୌଣସି ପ୍ରତିକ୍ରିୟା ଦେବା ବଦଳରେ ଯୁଦ୍ଧ ବନ୍ଦ ଉପରେ ଗୁରୁତ୍ବ ଦେଉଥିଲେ । ତେବେ ପୁଟିନଙ୍କ ସହ ଆଲୋଚନା ପରେ ଯୁଦ୍ଧ ବନ୍ଦ ହେବା ନେଇ ଆଶା ବଢ଼ିଥିଲା । ତେବେ ନିକଟରେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବରଦାସ୍ତ ନକରି ଏବେ ବଡ଼ ସାମରିକ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ ।