କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ଶାସନ ନେଇ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଋଷିଆ । ଏହି ନିଷ୍ପତ୍ତି ପାକିସ୍ତାନକୁ ଚିନ୍ତାରେ ପକାଇପାରେ । ଗତ ଗୁରୁବାର ତାଲିବାନୀ ସରକାର ପକ୍ଷରୁ କୁହାଯାଇଥିଲା ଯେ, ଋଷିଆ ପ୍ରଥମ ଦେଶ ଭାବରେ ତାଲିବାନୀ ସରକାରକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଛି । ଚୀନ, ପାକିସ୍ତାନ ଓ ଅନ୍ୟ କେତେକ ଦେଶର ରାଜଧାନୀରେ ତାଲିବାନୀ ସରକାରଙ୍କ ରାଷ୍ଟ୍ରଦୂତ ରହିଛନ୍ତି, କିନ୍ତୁ କୌଣସି ଦେଶ ଇସ୍ଲାମିକ ଏମିରେଟ୍ସ୍କୁ ସ୍ୱୀକୃତି ଦେଇନାହାନ୍ତି ।
ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ଓ ଋଷିଆରେ ଅବସ୍ଥାପିତ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଦିମିତ୍ରୀ ଝିରନୋବଙ୍କ ମଧ୍ୟରେ କାବୁଲରେ ହୋଇଥିବା ବୈଠକ ପରେ ତାଲିବାନ ସରକାର ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ୱେବ୍ସାଇଟ୍ରେ ଏକ୍ସ ହ୍ୟାଣ୍ଡେଲ୍ରେ ତାଲିବାନ୍ ପକ୍ଷରୁ କୁହାଯାଇଛି ଯେ, ଏହା ଅନ୍ୟ ଦେଶଗୁଡ଼ିକ ପାଇଁ ଏକ ଉଦାହରଣ । ବର୍ତ୍ତମାନ ତାଲିବାନୀ ସରକାରକୁ ସ୍ୱୀକୃତି ଦେବା ପ୍ରକ୍ରିୟା ଆରମ୍ଭ ହେଲା । ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେଲା ଏ କ୍ଷେତ୍ରରେ ଋଷିଆ ପ୍ରଥମ ଦେଶ ଭାବରେ ଆଗକୁ ଆସିଥିଲା । ତାଲିବାନ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଜିଆ ଅହମ୍ମଦ ତକାଲ କହିଛନ୍ତି ଯେ, ଋଷିଆ ପ୍ରଥମ ଦେଶରେ ତାଲିବାନକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଛି ।
ତାଲିବାନ ଶାସନକୁ ମାନ୍ୟତା ଦେବା ପୁତିନ୍ଙ୍କ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି । କାରଣ ଏହାଦ୍ୱାରା ଆମେରିକାକୁ ଅନେକ ରଣନୀତି ଚ୍ୟାଲେଞ୍ଜ୍ର ସାମ୍ନା କରିବାକୁ ପଡ଼ିପାରେ । ଅପରେସନ ସିନ୍ଦୂର ସମୟରେ ନିଜକୁ ନିରପେକ୍ଷ ଦେଖାଇବାକୁ ଯାଇ ଭାରତର ସପକ୍ଷରେ ରହିନଥିଲା ଟ୍ରମ୍ପ୍ ସରକାର ।
ପୁତିନ୍ଙ୍କ ନିଷ୍ପତ୍ତି ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟି ଯାଇପାରେ । କାରଣ ଦୀର୍ଘ ଦିନ ହେଲା ତାଲିବାନକୁ ଖୋଲା ସମର୍ଥନ ଦେଇ ଆସୁଥିଲା ପାକିସ୍ତାନ । କିନ୍ତୁ ଆଜି ଯାଏଁ ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ କେବେ ବି ଉତ୍ସାହ ଦେଖାଇ ନାହିଁ । ଏଭଳି ସ୍ଥିତିରେ ଆଫଗାନିସ୍ତାନରେ ପାକିସ୍ତାନର ଆଞ୍ଚଳିକ ପ୍ରଭାବ କମିବାରେ ଲାଗିବ । ବର୍ତ୍ତମାନ ଋଷିଆ ସରକାରଙ୍କ ଜରିଆରେ ଆଫଗାନିସ୍ତାନ ସାରା ବିଶ୍ୱର ଦେଶଗୁଡ଼ିକ ସହ ବାଣିଜ୍ୟିକ କିମ୍ବା କୂଟନୈତିକ ସମ୍ପର୍କ ସ୍ଥାପନ କରିପାରେ ।
ତେବେ ପୁତିନଙ୍କ ଫଇସଲା ଯୋଗୁଁ ଭାରତକୁ ଫାଇଦା ମିଳିବ । ଭାରତ-ଋଷିଆ ବନ୍ଧୁତ୍ୱ ଯୋଗୁଁ ପ୍ରଭାବିତ ହୋଇପାରେ ପାକିସ୍ତାନ । ତହରିକ-ଏ-ତାଲିବାନକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବିବାଦ ରହିଛି । କାରଣ ପାକିସ୍ତାନ ମୁତାବକ ଏହି ସଂଗଠନ ହିଁ ପାକିସ୍ତାନରେ ଅନେକ ଆକ୍ରମଣ କରାଉଛି । ସେପଟେ ଭାରତ ସହ ତାଲିବାନର ସମ୍ପର୍କ ଧୀରଧୀରେ ସୁଧୁରିବାରେ ଲାଗିଛି । କିଛି ଦିନ ପୂର୍ବେ ଭାରତର ବୈଦେଶିକ ସଚିବଙ୍କ ସହ ତାଲିବାନର କିଛି ନେତାଙ୍କ ଆଲୋଚନା ହୋଇଥିଲା ।