କନକ ବ୍ୟୁରୋ: ମୋଦୀଙ୍କୁ ଖୋଲା ମନରେ ତାରିଫ୍ କଲେ ଋଷ୍ର ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନ୍ । କହିଲେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବୁଦ୍ଧିମାନ ନେତା । ମୋଦୀ ସବୁବେଳେ ନିଜ ଦେଶର ଉନ୍ନତି କଥା ଚିନ୍ତା କରିଥାନ୍ତି । ଜଣେ ଉନ୍ନତ ଚିନ୍ତାଧାରାର ନେତା ହେଉଛନ୍ତି ମୋଦୀ । ତେବେ ପୁଟିନ୍ ସୋଚିରେ ଭାଲଦାଇ ଆଲୋଚନା କ୍ଲବର ପୂର୍ଣ୍ଣ ଅଧିବେଶନରେ ଭାଷଣ ଦେବା ସମୟରେ ମୋଦୀଙ୍କୁ ଏପରି ଖୋଲା ମନରେ ପ୍ରଶଂସା କରିଥିଲେ । ପୂର୍ଣ୍ଣ ଅଧିବେଶନରେ ପୁଟିନ ଭାରତ ଏବ ଋଷ୍ ମଧ୍ୟରେ ନିବିଡ଼ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ । ପୁଟିନ୍ ଆହୁରି ମଧ୍ୟ କହିଥିଲେ ଭାରତ ଏବଂ ଋଷ୍ ର ଲୋକମାନେ ଦୁଇ ଦେଶର ନିବିଡ ବନ୍ଧୁତ୍ବକୁ ମଧ୍ୟ ଭୁଲିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ ପ୍ରାୟ ୧୫ ବର୍ଷ ପୂର୍ବେ, ଆମେ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ଘୋଷଣା କରିଥିଲୁ, ଏବଂ ଏହା ସର୍ବୋତ୍ତମ ଥିଲା ।
ଟ୍ରମ୍ପଙ୍କ ଟାରିଫ୍ କୁ ନେଇ ପୁଟିନ୍ କହିଥିଲେ ଯଦି ଭାରତ ରୁଷ ତେଲ କିଣିବା ବନ୍ଦ କରେ, ତେବେ ଏହା ୯ ରୁ ୧୦ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ବିଦେଶୀ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସେ ବିଶ୍ୱାସ ମଧ୍ୟ ପ୍ରକାଶ କରିଥିଲେ ଏବଂ ଭାରତର ମର୍ଯ୍ୟାଦା ଏବଂ ରଣନୈତିକ ସ୍ୱାୟତ୍ତତାକୁ ସମର୍ଥନ କରିଥିଲେ ପୁଟିନ୍ । ତେବେ ଋଷ ଭାରତର ଏକ ପୁରୁଣା ଏବଂ ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ର । ଶୀତଳ ଯୁଦ୍ଧ ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ସାମରିକ, ପ୍ରତିରକ୍ଷା, ଶକ୍ତି ଏବଂ ବୈଷୟିକ କ୍ଷେତ୍ରରେ ଦୃଢ଼ ସମ୍ପର୍କ ରହିଛି । ତେବେ, ପୁଟିନଙ୍କ ଏହି ବୟାନ ଟ୍ରମ୍ପଙ୍କୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଭାରତକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ସର୍ବଶେଷରେ, ପୁଟିନଙ୍କ ଏହି ବୟାନ ଋଷ-ଭାରତ ସମ୍ପର୍କର ଗଭୀରତା ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତର ବଢୁଥିବା ପ୍ରଭାବକୁ ସ୍ପଷ୍ଟ ଭାବରେ ଦର୍ଶାଉଛି ।