କନକ ବ୍ୟୁରୋ: ପ୍ରାୟ ତିନି ବର୍ଷ ଧରି ଚାଲିଥିବା ରୁଷ୍-ୟୁକ୍ରେନ ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ରୁଷ୍ରେ ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିବା ପାଇଁ କ୍ରୁଜ୍ ମିସାଇଲ୍ ବ୍ୟବହାରକୁ ନାଟୋ ରାଷ୍ଟ୍ର ୟୁକ୍ରେନକୁ ଅନୁମତି ଦେବା ପରେ ପୁଟିନ ପରମାଣୁ ଆକ୍ରମଣ ଧମକ ଦେଇଛନ୍ତି । ଏସମ୍ପର୍କରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ରୁଷ୍ର ପରମାଣୁ କ୍ଷମତା ସଂକ୍ରାନ୍ତରେ ଶୀର୍ଷ ସୁରକ୍ଷା ପରିଷଦ ସହିତ ମସ୍କୋରେ ଏକ ଗୁପ୍ତ ବୈଠକ କରିଛନ୍ତି । ଆବଶ୍ୟକ ସ୍ଥଳେ ଶତ୍ରୁର ମୁକାବିଲା ପାଇଁ ଆମ ପରମାଣୁ ନୀତି ବଦଳିବ ବୋଲି ପୁଟିନ କହିଛନ୍ତି । ଆମେରିକା, ୟୁକେ ଆଦି ନାଟୋ ଦେଶକୁ ଟାର୍ଗେଟ କରି ପୁଟିନ କହିଛନ୍ତି, ଯଦି ପରମାଣୁ କ୍ଷମତା ସମ୍ପନ୍ନ ଦେଶ ଯୁଦ୍ଧରେ ୟୁକ୍ରେନକୁ ସାହାଯ୍ୟ କରେ ତେବେ ଋଷିଆ ତାକୁ ଶତ୍ରୁ ବୋଲି ମନେ କରିବ । ୟୁକ୍ରେନ ଯଦି ଡ୍ରୋନ, କ୍ଷେପଣାସ୍ତ୍ରରେ ବଡ଼ ଧରଣର ଆକ୍ରମଣ କଲା ଋଷିଆ ପରମାଣ ବୋମା ପକାଇବାକୁ ପଛଘୁଞ୍ଚା ଦେବନାହିଁ ।
ଦୁଇ ଗୁଣା ସୈନ୍ୟ ବଢାଇଲାଣି ଋଷ
ଲେବାନନରେ ପଶି ଯୁଦ୍ଧ କରିବ ଇସ୍ରାଏଲ
ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଅନ୍ୟ ପଟେ ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ ଏବେ ସାରା ବିଶ୍ବ ଚିନ୍ତାରେ ପଡିଯାଇଛି । ଇରାନ ଭଳି ମୁସଲିମ ଦେଶମାନେ ଇସ୍ରାଏଲ ବିପକ୍ଷରେ ଲଢେଇ ପାଇଁ ଏକାଠୀ ହେଉଥିବା ବେଳେ ପୁଟିନଙ୍କ ପରମାଣୁ ଆକ୍ରମଣର ଧମକ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ବଢାଇ ଦେଇଛି। ଏହାରି ଭିତରେ ୟୁକ୍ରେନର ଯେଉଁ ଅଞ୍ଚଳରେ ଋଷ-ୟୁକ୍ରେନ ସେନା ମଧ୍ୟରେ ଯୁଦ୍ଧ ଲାଗିରହିଛି, ସେଠାରେ ସୈନ୍ୟ ସଂଖ୍ୟା ଦୁଇଗୁଣା କରିଛନ୍ତି ପୁଟିନ୍ । ସେପଟେ ପେଜର, ୱାକିଟକି, ରକେଟ ମାଡରେ ଥରହର କରିବା ପରେ ଏବେ ଲେବାନନକୁ ନିଜ ଅଧିକୃତ କରିବାକୁ ଯୋଜନା କରିଛି ଇସ୍ରାଇଲ ।
ହିଜବୁଲ୍ଲା ସଂଙ୍ଗଠନକୁ ପୁରା ନିପାତ କରିବାକୁ ଲେବାନନ ଭିତରେ ପଶି ଯୁଦ୍ଧ କରିବାକୁ ଘୋଷଣା କରିଛନ୍ତି ଇସ୍ରାଏଲ ସେନା ମୁଖ୍ୟ । ଇସ୍ରାଏଲକୁ ଚେତାବନୀ ଦେଇ ଇରାନ କହିଛି ଲେବାନନକୁ ଗାଜା ଭଳି ହେବାକୁ ଦିଆଯିବ ନାହିଁ । ଯଦି ୟୁକ୍ରେନ ଋଷିଆ ଭିତରେ ବଡ଼ ଆ୍ରକମଣ କରେ। ଇରାନ ଭଳି ମୁସଲିମ ଦେଶ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ସାମିଲ ହୁଅନ୍ତି। ଆଉ ଆମେରିକା ଓ ଚୀନ ଭଳି ଶକ୍ତିଶାଳୀ ରାଷ୍ଟ୍ର ଏଥିରେ ସାମିଲ ହେଲେ ତୃତୀୟ ବିଶ୍ବଯୁଦ୍ଧକୁ ଏଡାଇ ଦିଆଯାଇପାରିବ ନାହିଁ।