କନକ ବ୍ୟୁରୋ: ଥମିବାରେ ନା ନେଉନି ଯୁକ୍ରେନ-ଋଷିଆ ଯୁଦ୍ଧ । ପାଖାପାଖି ୩ ବର୍ଷ ହେବ ଉଭୟ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଛି । ଏହାରି ଭିତରେ ଋଷିଆକୁ ସାହାଯ୍ୟ କରୁଛି ଉତ୍ତର କୋରିଆ । ଖାଲି ସାହାଯ୍ୟ କରୁଛି ତାହା ନୁହେଁ ବରଂ ସୈନ୍ୟ ପଠାଇଛି । ଏବେ କିନ୍ତୁ କିମ୍‌ ଜୋନଙ୍କ ଏକ ଚିଠି ୟୁକ୍ରେନର ଚିନ୍ତା ବଢାଇ ଦେଇଛି । କାରଣ କିମ୍‌ ନିଜର ସୈନ୍ୟକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଯାହା ବି ହେଉ ୟୁକ୍ରେନ ସୈନ୍ୟ ସାମ୍ନାରେ ମୁଣ୍ଡ ନୂଆଁଇବ ନାହିଁ । ଦରକାର ପଡ଼ିଲେ ନିଜ ଜୀବନ ଦେଇଦିଅ କିନ୍ତୁ ଯନ୍ତ୍ରଣା ଭୋଗିବାକୁ ଆଦୌ ୟୁକ୍ରେନ୍‌ ସୈନ୍ୟଙ୍କ ହାତରେ ଧରାପଡନାହିଁ । କିମ୍‌ଙ୍କ ଏହି ଟିପ୍ପଣୀ ପରେ ପୁରା ବିଶ୍ବରେ ଚର୍ଚ୍ଚା ଚାଲିଛି କି, ୟୁକ୍ରେନ ସହ ପରୋକ୍ଷରେ ନୁହେଁ ବରଂ ପ୍ରତ୍ୟକ୍ଷରେ ଯୁଦ୍ଧ କରୁଛି ଉତ୍ତର କୋରିଆ ।

Advertisment

ଋଷିଆକୁ ସାହାଯ୍ୟ କରୁଛି ଉତ୍ତର କୋରିଆ । ଯୁଦ୍ଧ ହେବା ଦିନରୁ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଅନେକ ଦେଶ ଅପିଲ କରିବା ପରେ ବି ପୁଟିନ୍‌ କି ଜେଲେନ୍‌ସ୍କି କିଛି ଶୁଣିବା ପରିସ୍ଥିତିରେ ନାହାନ୍ତି । ସେଇଥି ଲାଗି ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ପୂର୍ବରୁ ୟୁକ୍ରେନ୍‌ ସୈନ୍ୟ ଉତ୍ତର କୋରିଆର ଅନେକ ସୈନ୍ୟଙ୍କୁ ପଣବନ୍ଦୀ କରିଥିବାର ଖବର ବି ସାମ୍ନାକୁ ଆସିଥିଲା । ଏବେ ପୁଣି ଥରେ ପଣବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ଲାଗି କିମ୍‌ ନିଜ ସୈନ୍ୟଙ୍କୁ ଏମିତି କଡ଼ା ସନ୍ଦେଶ ପଠାଇଥିବା କୁହାଯାଉଛି । ଖାଲି ଏତିକି ନହେଁ ବରଂ ନିଜ ସୈନ୍ୟଙ୍କୁ ଫେରାଇ ଆଣିବାକୁ କିମ୍‌ ଋଷିଆ ପାଖରେ ଜୋରଦାର ଦାବି ବି କରିଛନ୍ତି । 


ଉତ୍ତର କୋରିଆ ଗୁମର ଖୋଲିଲେ ଦକ୍ଷିଣ କୋରିଆ ସାଂସଦ

ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ କେମିତି ଉତ୍ତରକୋରିଆ ସୈନ୍ୟ ପଠାଉଛି ସେନେଇ ଗୁମର ଖୋଲିଛନ୍ତି ଦକ୍ଷିଣ କୋରିଆର ଜଣେ ସାଂସଦ । କହିଛନ୍ତି, କିମ୍‌ ନିଜ ସୈନ୍ୟଙ୍କୁ କହିଛନ୍ତି ଯେବେ ଜାଣିବ କି ତୁମେ ୟୁକ୍ରେନ୍‌ ସେନା ପଣବନ୍ଦୀ ହେବାକୁ ଯାଉଛ ସେହି ସମୟରେ ନିଜକୁ ମାରିଦେବ ଅର୍ଥାତ୍‌ ନିଜକୁ ନିଜେ ଗୁଳି ମାରିଦେବ । ଅବଶ୍ୟ ଏନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସ୍ପଷ୍ଟତା ମିଳିନାହିଁ କିନ୍ତୁ କିମ୍‌ଙ୍କ ସୈନ୍ୟଙ୍କ ମୃତଶରୀର ଦେଖିଲେ ଏମିତି କିଛି ଚିନ୍ତା କରାଯାଇପାରେ ବୋଲି ଦକ୍ଷିଣ କୋରିଆ ସାଂସଦ କହିଛନ୍ତି । 

୩ ହଜାର ସୈନ୍ୟ ପଠାଇଛନ୍ତି କିମ୍‌

ଋଷିଆ-ୟୁକ୍ରେନ୍‌ ୟୁଦ୍ଧ ଭିତରେ ଋଷିଆକୁ ପ୍ରାୟ ୩ ହଜାର ସୈନ୍ୟିକ ପଠାଇଛନ୍ତି କିମ୍‌ । ହେଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୩ ଶହ ସୈନ୍ୟିକଙ୍କର ମୃତ୍ୟୁ ହୋଇସାରିଛି ଏବଂ ୨୭ ଶହ ସୈନ୍ୟିକ ଗୁରୁତର ଆହତ ହୋଇଛନ୍ତି । ହେଲେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି, ଋଷିଆର ଡ୍ରୋନ୍‌ ଟେକ୍ନଲୋଜି ପାଇଁ କିମ୍‌ ୧୦ ହଜାର ସୈନ୍ୟ ଯୁଦ୍ଧ ଲାଗି ପଠାଇଥିଲେ । ସେପଟେ ଜେଲେନସ୍କି କହିଛନ୍ତି, ଆମ ସୈନ୍ୟ ଯେଉଁ ଆକ୍ରମଣକାରୀ ସୈନ୍ୟଙ୍କୁ ଧରିଛନ୍ତି ସେମାନଙ୍କୁ ପଚରାଉଚରାରୁ ଅନେକ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି ।

ସତରେ କଣ ୨୭ ଶହ ସୈନ୍ୟ ଗୁରୁତର

କୁହାଯାଉଛି ଯୁଦ୍ଧ କ୍ଷେତ୍ରରେ ପ୍ରାୟ ୨୭ ଶହ ସୈନ୍ୟ ଗୁରୁତର ଆହତ ହୋଇଛନ୍ତି । ୩ ହଜାର ନୁହେଁ ବରଂ ଆହୁରି ଅଧିକ ସୈନ୍ୟ ଗୁରୁତର ଆହତ ବି ହୋଇଛନ୍ତି । ହେଲେ କିମ୍‌ଙ୍କ କଡ଼ା ନିର୍ଦ୍ଦେଶ ରହିଛି, ଧରାପଡ଼ିବା ପୂର୍ବରୁ ନିଜକୁ ମାରିଦିଅ । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୋଟିଏ ପଟେ ଯୁଦ୍ଧ ରୋକିବାକୁ ଆମେରିକା ଚେଷ୍ଟା କରୁଥିବା ବେଳେ ଉତ୍ତର କୋରିଆ ଯେଉଁପରି ଭାବରେ ଯୁଦ୍ଧ ମୈଦାନକୁ ଓହ୍ଲାଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଋଷିଆ-ଯୁକ୍ରେନ୍‌ ଯୁଦ୍ଧ ଲାଗି ମୁହାଁମୁହିଁ ହୋଇପାରନ୍ତି ଆମେରିକା-ଉତ୍ତର କୋରିଆ । ସେପଟେ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବ ୨୦ ତାରିଖରେ ରହିଛି । ଏହାପରେ ଉଭୟ ଦେଶ ମଧ୍ୟରେ ତିକ୍ତକା ବୃଦ୍ଧି ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଅବଶ୍ୟ ଏନେଇ ଆମେରିକା କି ଉତ୍ତରକୋରିଆ ସରକାରୀ ଭାବରେ କିଛି ପ୍ରତିକ୍ରିୟା ରଖିନାହାନ୍ତି ।