କନକ ବ୍ୟୁରୋ: ରୁଷ୍ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ ଆକ୍ରମଣ । ୧୧୭ଟି ଡ୍ରୋନ୍‌ ଜରିଆରେ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ଏୟାରବେସ ସମ୍ପୂର୍ଣ୍ଣ ଧ୍ବଂସ । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍ସକି ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଆକ୍ରମଣରେ ରୁଷ୍‌ର ପ୍ରାୟ ୧୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ୟୁକ୍ରେନ୍ ଦାବି କରିଛି । ପୂର୍ବ ଯୋଜନା ମୁତାବକ ଏହି ବଡ଼ ଆକ୍ରମଣ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ଏହି ଅଭିଯାନରେ ମୋଟ ୧୧୭ଟି ଡ୍ରୋନ ବ୍ୟବହାର କରାଯାଇଥିଲା, ସମାନ ସଂଖ୍ୟକ ଡ୍ରୋନ ଅପରେଟର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ରଣନୈତିକ କ୍ରୁଜର ୩୪% ଏୟାରବେସରେ ନିୟୋଜିତ କ୍ଷେପଣାସ୍ତ୍ର ବାହକମାନଙ୍କୁ ଟାର୍ଗେଟ କରାଯାଇଥିଲା । 

Advertisment

ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣକୁ ସ୍ବୀକାର କରିଛି। ୟୁକ୍ରେନୀୟ ଡ୍ରୋନ୍‌ ଦ୍ବାରା ପାଞ୍ଚଟି ଏୟାରବେସ ଉପରେ ଆକ୍ରମଣ କରାଯାଇଛି, ଅନେକ ବିମାନକୁ କ୍ଷତି ପହଞ୍ଚାଯାଇଛି ବୋଲି ରୁଷ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ତାନବୁଲରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକି ମସ୍କୋ ଉପରେ ଚାପ ପକାଇବାକୁ ଏଭଳି ଆକ୍ରମଣ କରାଇଥିବା ଅନୁମାନ କରାଯାଉଛି । ଗୋଟିଏ ପଟେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା ଚେଷ୍ଟା କରୁଛି । ହେଲେ ଦୁଇ ପକ୍ଷ ମଧ୍ୟରେ ଆକ୍ରମଣ ଦିନକୁ ଦିନ ତେଜିବାରେ ଲାଗିଛି । ଏହା ପୂର୍ବରୁ ୟୁକ୍ରେନର ଏକ ସେନା ତାଲିମ୍ ଶିବିର ଉପରେ ରୁଷ୍ ଆକ୍ରମଣ କରିଥିଲା । ଏଥିରେ ୧୨ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିଲେ। ଏହାକୁ ନେଇ ବଡ଼ ପ୍ରତିଆକ୍ରମଣ କରିଛି ୟୁକ୍ରେନ୍ ।