କନକ ବ୍ୟୁରୋ : ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ପରିବାର ସହ ଟିକେ ନିରୋଳାରେ ସମୟ ବିତାଇବାକୁ ଏକ ପ୍ରଶସ୍ତ ସ୍ଥାନ ହେଉଛି ପାର୍କ। କିନ୍ତୁ ପାର୍କର ନାମ ଶୁଣିଲେ ମନ ହଠାତ ସହର ଆଡ଼କୁ ଚାଲିଯାଏ। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ପଞ୍ଚାୟତରେ। ଯୁବ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମାଞ୍ଚଳରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ପାର୍କ । ନଦୀ, ସମୁଦ୍ର ଘେରା ଅଞ୍ଚଳରେ ଗ୍ରାମୀଣ ପାର୍କ ନିର୍ମାଣକୁ ନେଇ ସରପଞ୍ଚଙ୍କୁ ଭୁରିଭୁରି ପ୍ରଶଂସା କରାଯାଇଛି।
ମାଟି ଉପରେ ସବୁଜିମା ସୁନ୍ଦର ଘାସ ଗାଲିଚା। ଭଳିକି ଭଳି ଗଛ। ରଙ୍ଗବେରଙ୍ଗର ଜାତି ଜାତିକା ଫୁଲର ଗହଳି। ତା’ ଭିତରେ ରହିଛି ପିଲାଙ୍କ ଖେଳ ସାମଗ୍ରୀ ସାଙ୍ଗକୁ ବ୍ୟାୟାମ ଉପକରଣ। ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ‘ମୋ ପରିଚୟ, ମୋ ନୂଆଗଡ଼’। କୌଣସି ସହର ନୁହେଁ, ଏ ହେଉଛି ଅସ୍ତରଙ୍ଗ ନୂଆଗଡ ପଞ୍ଚାୟତ। ସହରାଞ୍ଚଳର ସୁଖ ସୁବିଧା ଠାରୁ ବହୁ ଦୂରରେ ରହୁଥିବା ମଣିଷଙ୍କ ଆମୋଦ ପ୍ରମୋଦ ଏ ସୁନ୍ଦର ପାର୍କଟି ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ସ୍ବାଇଁଙ୍କ ଉଦ୍ୟମରୁ ସମ୍ଭବ ହୋଇପାରିଛି । ପଞ୍ଚାୟତ ଓ ବ୍ଲକର ଅନୁଦାନରେ ଗଢ଼ି ଉଠିଥିବା ଏହି ଗ୍ରାମୀଣ ପାର୍କକୁ ନୂଆଗଡ଼ ସହ ଆଖପାଖ ପଞ୍ଚାୟତରୁ ଲୋକ ଛୁଟି ଆସୁଛନ୍ତି ଜୀବନ ଜଞ୍ଜାଳରୁ ବାହାରି ନିଜ ସହ ଓ ପରିବାର ସହ ସମୟ ବିତାଇବାକୁ।
ଅଧିକ ପଢ଼ନ୍ତୁ : ଚିଙ୍ଗୁଡ଼ି ପରେ କଙ୍କଡ଼ା ଚାଷର ଚାହିଦା, ଅସ୍ତରଙ୍ଗ ଅଞ୍ଚଳରେ ଚାଷୀ ମାଲାମାଲ
ପାର୍କଟିର ଲୋକାର୍ପିଣ ଉତ୍ସବରେ ନିଆରା ଚିତ୍ର ଦେଖିବାକୁ ମିଳିଥିଲା। ନେତା, ମନ୍ତ୍ରୀଙ୍କ ବଦଳରେ ଏହାର ଉଦଘାଟନ କରିଥିଲେ ବୃଦ୍ଧବୃଦ୍ଧା। ଏଥିସହ ପାର୍କର କାନ୍ଥରେ ସ୍ୱଚ୍ଛ ଭାରତ ସହ ବିଭିନ୍ନ ସଚେତନତାର ବାର୍ତ୍ତା ଲେଖାଯାଇଛି। ଏଥିସହ ଇଂରାଜୀରେ ଋତୁ, ବାର, ମାସ ଲେଖାଯାଇ ଦେଖି ପିଲାଙ୍କ ପାଇଁ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯାଇପାରିଛି।
ସରକାରୀ ଅବ୍ୟବସ୍ଥାର ଅନେକ ଚିତ୍ର ଆମେ ଦେଖୁଛୁ। ଯେଉଁଠି ପାର୍କ ପାଇଁ କୋଟିକୋଟି ଟଙ୍କା ଆସୁଛି, କିନ୍ତୁ କାମରେ ଲାଗିପାରୁନି। କେଉଁଠି କାମ ଅଧପନ୍ତରିଆ, ଆଉ କେଉଁଠି କାମ ଆରମ୍ଭ ହୋଇପାରୁନି। କିନ୍ତୁ ଏଠି ଜଣେ ଯୁବ ସରପଞ୍ଚଙ୍କ ପ୍ରୟାସରେ ନିପଟ ମଫସଲରେ ନିର୍ମାଣ ହୋଇଛି ଏତେ ସୁନ୍ଦର ପାର୍କ।
Follow Us