କନକ ବ୍ୟୁରୋ: ପାଖେଇ ଆସୁଛି ପାର୍ବଣ ଋତୁ । ସେଥିପାଇଁ ଦିନରାତି ଏକ କରି ମୂର୍ତ୍ତି ଗଢିବାରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର । ଦିନକୁ ଦିନ ମାଟି ମୂର୍ତ୍ତିର ଚାହିଦା କମୁଥିବା ବେଳେ ତାହାର ସ୍ଥାନ ନେଇଛି ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି । ବଜାରରେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦା ରହିଥିବା ବେଳେ ମୂର୍ତି ତିଆରି କରୁଛନ୍ତି ଯୁବ କାରିଗର । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର ।

ଆଗକୁ ଆସୁଛି ଗଣେଶ ପୂଜା । ଆଉ ଏଥିପାଇଁ ବିଭିନ୍ନ ପୂଜା କମିଟି, ଶିକ୍ଷାନୁଷ୍ଠାନ ଓ ମୂର୍ତ୍ତି କାରିଗରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଏବେ ବଜାରରେ ମାଟି ମୂର୍ତ୍ତିର ସ୍ଥାନ ନେଲାଣି ପ୍ଳାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି । ବମ୍ବେ ଷ୍ଟାଇଲରେ ଗଣେଷ ମୂର୍ତ୍ତି ତିଆରି ଚର୍ଚ୍ଚା ସାଉଁଟିଛନ୍ତି କାମାକ୍ଷାନଗର ଜିରିଡାମାଳି ଗାଁର ରୂପରଞ୍ଜନ ରାଉଳ । ଭୁବନେଶ୍ୱର ସ୍ଥିତ ବିକେ କଲେଜ ଭିଜୁଆଲ ଆର୍ଟରେ ଡିଗ୍ରୀ ଓ ଉତ୍କଳ ୟୁନିଭର୍ସଟିରୁ କଳାରେ ପିଜି କରି ବିଭିନ୍ନ ପ୍ରକାରର ପ୍ଲାଷ୍ଟରପ୍ୟାରିସ ମୂର୍ତ୍ତି ଗଢୁଛନ୍ତି । ପୂଜା ବଜାରରେ ସାଧାରଣ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶିଳ୍ପୀଙ୍କ ସୁନ୍ଦର ସୁନ୍ଦର ମୂର୍ତ୍ତି । 

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟରେ ଚାକିରି କରୁଥିଲେ ରୂପରଞ୍ଜନ । ସରକାରୀ ଚାକିରି ଛାଡ଼ି ତିନିମାସ ହେଲା ନିଜ ଗାଁରେ କରିଛନ୍ତି ପ୍ଲାଷ୍ଟରପ୍ୟାରିସ ମୂର୍ତ୍ତି ନିର୍ମାଣ କେନ୍ଦ୍ର । ଆଉ କଳାପ୍ରତି ଥିବା ନିଶା ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ନିଜେ ସ୍ୱାବଲମ୍ବୀ ହେବା ସହ ପ୍ରାୟ ୧୦ ଜଣଙ୍କୁ ସେ ରୋଜଗାର ଦେଇଛନ୍ତି । ଗଣେଶ ପୂଜା ପାଇଁ ତିଆରି କରିଛନ୍ତି ୫୦୦ରୁ ଊର୍ଦ୍ଧ୍ବ ଗଣେଷ ମୂର୍ତ୍ତି । ଭୁବନେଶ୍ୱର, ନୟାଗଡ଼, କଟକ, ଅନଗୁଳ, ଯାଜପୁର, ସମେତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୂର୍ତ୍ତି ପାଇଁ ତାଙ୍କୁ ଅର୍ଡର ମିଳିଛି । 

ପ୍ରଥମ କରି ଏକ ନୂଆ କୌଶଳର ମୂର୍ତ୍ତି ନିର୍ମାଣ କରି ଏବେ ଚର୍ଚ୍ଚାରେ ରୂପରଞ୍ଜନ । ଆଗକୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ ଅନ୍ୟାନ୍ୟ ପୂଜା ପାଖେଇ ଆସୁଥିବା ବେଳେ ଏବେଠାରୁ ବିଭିନ୍ନ ମୂର୍ତ୍ତି ପାଇଁ ଅର୍ଡର ରଖି ସେ କାମ ଜାରି ରଖିଛନ୍ତି ।