କନକବ୍ୟୁରୋ : ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାମ। କେବଳ ସିଂହଦ୍ୱାର ଗୁମୁଟ ନୁହେ ରତ୍ନଭଣ୍ଡାରକୁ ଜଗି ରହିଥିବା ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାର, ପ୍ରଭା ଓ ଖିଲଣ ବି ରୁପାର ହେବ  । ୬ ଫୁଟ୍ ଉଚ୍ଚ ଓ ସାଢେ ତିନି ଫୁଟ ଚଉଡ଼ାର ଏହି ଦ୍ଵାର ନୂଆ ସୌନ୍ଦର୍ଯ୍ୟ  ପାଇବ । 

Advertisment

ଆସନ୍ତା ଦୁଇ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ଲକ୍ଷ ରହିଛି   ।  ସେହିପରି ମଦନ ମୋହନ, ଶ୍ରୀଦେବୀ ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ଆଦି ଠାକୁରଙ୍କ ୭ଟି ପ୍ରଭାକୁ ରୂପା ଛାଉଣୀ କରିବାକୁ ପ୍ରସ୍ତୁତି ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ   ।  ରୁପା ଛାଉଣୀ କାମକୁ ସବୁ ମହଲରେ ସ୍ଵାଗତ କରାଯାଇଛି ।

ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ଵାର ମଧ୍ୟ ରୁପା ଛାଉଣୀ କରିବାକୁ ଦାବି କରିଛନ୍ତି ସେବାୟତ  ।  ସେପଟେ ଆଉ ଦିନ କେଇଟା ପରେ ଇଂରାଜୀ ନୂଆବର୍ଷ । ଏବେଠୁ ଶ୍ରୀକ୍ଷେତ୍ରରେ  ଲାଗିଲାଣି ଗହଳି ଚହଳି। ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପୁରୀ ଆସି ନୂଆବର୍ଷ ମନାଇବାକୁ ପ୍ରସ୍ତତି କରିଛନ୍ତି।

ସେପଟେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି ।  

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ନାଟମଣ୍ଡପ ରୁ ସମସ୍ତ ଅବରୋଧ ହଟାଯାଇଛି। କେବଳ ଅଧିକୃତ ବା ଆବଶ୍ୟକୀୟ ଆଲମିରା କୁ ଛାଡି ସମସ୍ତ ଅନଧିକୃତ ଅବରୋଧ କୁ ନାଟ ମଣ୍ଡପରୁ ହଟାଯାଇଛି । ତେବେ ହୁଣ୍ଡି ଅପସାରଣ ପାଇଁ ବିଧି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଆବଶ୍ୟକ ରହିଛି ।

ଏହା ଏକ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ସବୁଜ ସଙ୍କେତ ପରେ ହିଁ ଅପସାରଣ କରାଯାଇପାରିବ  । ତେବେ ଡିସେମ୍ବର ୩୧ ଓ ଜାନୁଆରି ୧ତାରିଖ ରେ ନୀତି କାନ୍ତି ଶୃଙ୍ଖଳିତ କରିବା ନେଇ ବିଶେଷ ଭାବେ ସେବାୟତ ମାନଙ୍କ ଆଲୋଚନା କରାଯିବା ସହ ଅନୁରୋଧ କରାଯାଇଛି।