କନକ ବ୍ୟୁରୋ : ବଢ଼ି ବଢ଼ି ଚାଲିଛି ଖରାର ପ୍ରକୋପ,ସିଝି ଯାଉଛି ଜନ ଜୀବନ । ଗରମରୁ ରକ୍ଷା ପାଇବା ପାଇଁ ଘରେ ଘରେ ଲାଗିଛି AC । ହେଲେ ଏସି ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ବିଜୁଳି ବିଲ୍‌ ମଧ୍ୟ ବଢ଼ି ବଢ଼ି ଯାଉଛି । ଅନ୍ୟପଟେ ବିନା ACରେ ଶୋଇବାକୁ ଚାହୁନାହାଁନ୍ତି ଆଜିର ଲୋକମାନେ । କେଉଁଠି ଇଲେକ୍ଟ୍ରି ବିଲ୍ ଟେନସନ୍ ଦେଉଛି ତ ଆଉ କେଉଁଠି ACର ଯାନ୍ତ୍ରିକ ତ୍ରୁଟି । ଯଦି ଆପଣ ଚାହୁଛନ୍ତି ଯେ ଆପଣଙ୍କ AC ଶୀଘ୍ର ଥଣ୍ଡା ହେଉ ଏବଂ ଏହା ସହିତ ଇଲେକ୍ଟ୍ରି ବିଲ୍‌ କମ୍‌ ଆସୁ ତେବେ ଏଥିପାଇଁ ଏହାର ନିୟମିତ ଯତ୍ନ ଏବଂ ସଠିକ୍ ରକ୍ଷଣାବେକ୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ । 

Advertisment

AC ପାଇଁ ଜାଣନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଏହି ୫ଟି ଟିପ୍ସ ମାଧ୍ୟମରେ । ଯାହାକି ଆପଣଙ୍କ ACକୁ ସବୁ ସମୟରେ ଠିକ୍‌ ରଖିବା ସହ ବିଜୁଳି ବିଲ୍‌ ମଧ୍ୟ ବଞ୍ଚାଇବ । 

୧. ସମୟ ସମୟରେ ଏୟାର ଫିଲ୍ଟରକୁ ସଫା କରନ୍ତୁ କିମ୍ବା ବଦଳାନ୍ତୁ

ଯଦି ଏୟାର ଫିଲ୍ଟରଗୁଡ଼ିକ ମଇଳା କିମ୍ବା ଜାମ୍‌ ହୋଇଯାଏ ତେବେ ଏସି ପବନର ଗତି ହ୍ରାସ ପାଏ ଏବଂ ଥଣ୍ଡା କମ୍‌ ହୁଏ । ଏଭଳି ହେବା ଦ୍ୱାରା ବିଜୁଳି ବିଲ୍‌ ବଢେ କାରଣ  ACକୁ ଅଧିକ ପରିଶ୍ରମ କରିବାକୁ ପଡ଼େ । ତେଣୁ ପ୍ରତି ୧୫ ରୁ ୨୦ ଦିନରେ ଏୟାର ଫିଲ୍ଟରକୁ ଭଲ ଭାବରେ ସଫା କରନ୍ତୁ । ଯଦି ଆପଣଙ୍କ ଏସିର ଡିସପୋଜେବଲ୍ ଫିଲ୍ଟର ଅଛି, ତେବେ ସମୟ ସମୟରେ ସେଗୁଡ଼ିକୁ ବଦଳାନ୍ତୁ ।

୨. ACର ବାହାର ୟୁନିଟ୍‌କୁ ଧୂଳି ଏବଂ ମଇଳାରୁ ଦୂରରେ ରଖନ୍ତୁ 

ACର ଆଉଟ୍‌ଡୋର୍‌ ୟୁନିଟ୍‌ରେ ପ୍ରାୟତଃ ଧୂଳି, ପତ୍ର ଏବଂ ମଇଳା ଲାଗିରହିଯାଏ ।  ବିଶେଷକରି ସହରଗୁଡ଼ିକରେ ପ୍ରଦୂଷଣ ଏବଂ କଷ୍ଟ୍ରକସନ୍‌ର ଧୂଆଁ  ବେଶି । ସେଥିପାଇଁ ବାହାର ୟୁନିଟ୍‌କୁ ସଫା ରଖନ୍ତୁ ଏବଂ ଏହାକୁ ଖୋଲା ସ୍ଥାନରେ ରଖନ୍ତୁ ଯାହା ଦ୍ଵାରା ପବନ ସଠିକ୍ ଭାବରେ ପରିଚାଳିତ ହୋଇପାରିବ । ଆଉଟ୍‌ଡୋର ୟୁନିଟ୍‌ ସଫା ରହିଲେ AC ବହୁତ ଶୀଘ୍ର କୁଲିଙ୍ଗ୍‌ ହୁଏ ଏବଂ ରୁମ୍‌ ମଧ୍ୟ କମ୍‌ ସମୟ ମଧ୍ୟରେ ଥଣ୍ଡା ହୁଏ । 

୩. ବର୍ଷକୁ ଦୁଇଥର ସର୍ଭିସିଂ କରାନ୍ତୁ

ଯଦିଓ ଆପଣଙ୍କ AC ଠିକ୍ ଭାବରେ କାମ କରୁଛି ତଥାପି ବର୍ଷକୁ ଅତି କମରେ ଦୁଇଥର ପ୍ରଫେସ୍‌ନାଲି ସର୍ଭିସିଂ କରାଇ ନିଅନ୍ତୁ ।  ଜଣେ ଭଲ ଟେକ୍ନିସିଆନଙ୍କ ଦ୍ୱାରା ACର ସର୍ଭିସିଂ କରାଇବା ଗୁରୁତ୍ୱପୂର୍ଣ୍ଣ । ଯାହା ଦ୍ୱାରା ଠିକ୍‌ ସମୟରେ ରେଫ୍ରିଜରେଣ୍ଟ ସ୍ତର, ଲିକ୍, ୱାୟାରିଂ ଏବଂ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ଚିହ୍ନଟ କରିବାରେ ସାହାଯ୍ୟ କରେ ଏବଂ ଏସି ବର୍ଷ ବର୍ଷ ଧରି ସଠିକ୍ ଭାବରେ କାମ କରେ ।  

୪. ସଠିକ୍‌ ଟେମ୍ପରେଚର ସେଟ୍ କରନ୍ତୁ ଏବଂ ଟାଇମର୍ ମୋଡ୍ ବ୍ୟବହାର କରନ୍ତୁ

ଯଦି ACର ପ୍ରପର ଯତ୍ନ ନେଉଛନ୍ତି ତେବେ ଖରା ଦିନରେ ୨୪ ରୁ ୨୬ ଡିଗ୍ରୀ  ସେଲସିୟସ୍ ତାପମାତ୍ରାରେ AC ଚଲାଇବା ଉପଯୁକ୍ତ । ଏଥିରେ ନା କେବଳ  ଆରାମଦାୟକ ଥଣ୍ଡା ଅନୁଭବ ହୁଏ ତା ନୁହେଁ ବରଂ ବିଦ୍ୟୁତ୍ ସଞ୍ଚୟ ମଧ୍ୟ ହୁଏ । ଏହା ସହିତ ରାତିରେ ଶୋଇବା ସମୟରେ ଟାଇମର୍ କିମ୍ବା ସ୍ଲିପ୍ ମୋଡ୍ ଚାଲୁ କରି ରଖନ୍ତୁ ଯାହା ଦ୍ଵାରା ଏସି ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ ନାହିଁ ଏବଂ ବିଦ୍ୟୁତ୍ ବିଲ୍ କମ୍‌ ଆସିବ ।

୫. ଅଜବ ଶବ୍ଦ କିମ୍ବା ଦୁର୍ଗନ୍ଧକୁ ଅଣଦେଖା କରନ୍ତୁ ନାହିଁ 

ଯଦି ଆପଣଙ୍କ ଏସିରୁ କୌଣସି ଅଜବ ଶବ୍ଦ କିମ୍ବା ଦୁର୍ଗନ୍ଧ ବାହାରୁଛି ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ । ଏହା କୌଣସି ଆଭ୍ୟନ୍ତରୀଣ ସମସ୍ୟା କିମ୍ବା ଫଙ୍ଗଲ ବୃଦ୍ଧିର ସଙ୍କେତ ହୋଇପାରେ । ଏପରି କ୍ଷେତ୍ରରେ ତୁରନ୍ତ ଏସି ବନ୍ଦ କରନ୍ତୁ ଏବଂ ଟେକ୍ନିସିଆନଙ୍କ ଦ୍ୱାରା ଯାଞ୍ଚ କରାନ୍ତୁ ଯାହା ଦ୍ଵାରା ବଡ଼ ଅସୁବିଧା ଏବଂ ଅଧିକ ଖର୍ଚ୍ଚକୁ ଏଡାଯାଇପାରିବ ।

ତେବେ ଗରମରୁ ରକ୍ଷା ପାଇବା ପାଇଁ ଏସିର ଥଣ୍ଡା ପବନ ଯେତିକି ଜରୁରୀ ବିଜୁଳି ବଞ୍ଚାଇବା ମଧ୍ୟ ସେତିକି ଜରୁରୀ । ଏସିର ସଠିକ୍‌ଭାବେ ଯତ୍ନ ଏବଂ ପ୍ରପର୍‌ ଟେମ୍ପରେଚର ସହ ବ୍ୟବହାର କଲେ ଏସି ଠିକ୍‌ ରଖିବା ସହ ବିଜୁଳି ସଂରକ୍ଷଣ ହେବ ଏବଂ ଏହା ସହ ବିଜୁଳି ବିଲ୍‌ ମଧ୍ୟ କମ୍‌ ଆସିବ ।