କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମହାବଳ ବୁଲୁଥିବା ନେଇ କୃତ୍ରିମ ଫଟୋ ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ ହେବାର ଲାଗିଛି । କିଛି ଅସାମାଜିକ ଯୁବକ ବାଘର ଫଟୋ ଏଡିଟିଂ କରି ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ଆସିଛି । କେଉଁଠି ଛକ ଉପରେ ତ ଆଉ କାହା ଘର ଆଗରେ , ଆଉ କେଉଁଠି ରାତିର ଅନ୍ଧକାରରେ । ଅନୁଗୁଳରେ ମହାବଳ ବୁଲିବା ନେଇ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି କୃତ୍ରିମ ଫଟୋ । 

Advertisment

ଛେଣ୍ଡିପଦା ବନାଞ୍ଚଳରେ ୧୩ ଦିନ ତଳୁ ଏକ ମହାବଳ ବାଘର ପାଦ ଚିହ୍ନ ଠାବ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯିବାରୁ ବାଘଟି ଦେବଗଡ଼ ଜଙ୍ଗଲରୁ ଅନୁଗୁଳ ଓ ପରେ ଢେଙ୍କାନାଳ ପଳାଇଥିବା ଜଣାପଡ଼ିଛି । ମାତ୍ର ମହାବଳଟି ଅନୁଗୁଳରେ ଥିବା ନେଇ କିଛି ଯୁବକ ଫଟୋକୁ ଏଡିଟିଂ କରି ଗୁଜବ ସୃଷ୍ଟି କରୁଛନ୍ତି । ସେହି ଫଟୋକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ସଂଧ୍ୟା ହେଲେ ତାଟି କବାଟ ପକାଇ ଘରେ ରହୁଛନ୍ତି ।

ବାଘ ଗୁଜବ ନେଇ ବନ୍ତଳା ବନାଞ୍ଚଳରେ ବନ ବିଭାଗକୁ ନାକେଦମ୍ ହେବାକୁ ପଡ଼ିଛି । କୁମୁରିସିଂହା ଗାଁରେ ବାଘର ପାଦଚିହ୍ନ ପଡ଼ିଛି । ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ତୁରନ୍ତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାରୁ ତାହା କୁକୁର ପାଦଚିହ୍ନ ବୋଲି ଜଣାପଡ଼ିଛି । ବାଘ ସମ୍ପର୍କରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଏଫ୍‌ଓ । ଅନ୍ୟପଟେ କିଛି ଦିନ ହେବ ଢେଙ୍କାନାଳରେ ମହାବଳ ବୁଲୁଥିବା ସୂଚନା ମିଳିବା ପରେ ବି ଅନୁଗୁଳରେ ଆତଙ୍କ ଥମିନି ।