କନକ ବ୍ୟୁରୋ: ଘରୋଇ ହୋଟେଲରେ ବିଜେଡି ନେତାଙ୍କ ମେଳି ପରେ ପ୍ରତାପ ଦେବଙ୍କ ବାସ ଭବନରେ ବି କିଛି ବିଜେଡି ନେତା ପହଞ୍ଚିଛନ୍ତି । ଏଠାରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ବିଜେଡି ପକ୍ଷରୁ ମିଳିପାରିନାହିଁ । ସେପଟେ ଆଜି ସନ୍ଧ୍ୟାରେ ବି ବିଜେଡି ଯୁବନେତାମାନେ ନବୀନ ନିବାସରେ ଦଳର ସଭାପତିଙ୍କୁ ଭେଟିବେ । ଏଣୁ ଏବେ ବିଜେଡି ୩ ଭାଗ ହୋଇଥିବା ଆଲୋଚନା ହେଉଛି ।
ଆଜି ପ୍ରଥମେ କ୍ରିଷ୍ଟାଲ କ୍ରାଉନ ନାମକ ହୋଟେଲ୍ରେ ବିଜେଡିର ବରିଷ୍ଠ ନେତାମାନେ ଏକାଠି ହୋଇ ବିଜେଡିକୁ ବାହ୍ୟଶକ୍ତି ଦ୍ୱାରା ପ୍ରଭାବିତ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ବୈଠକରେ ଶଶୀଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଛନ୍ତି ବରିଷ୍ଠ ନେତା । ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶୀଭୂଷଣ ବେହେରା ।
ଗୋଟେ ପରେ ବିଜେଡିର ବରିଷ୍ଠ ନେତା ହୋଟେଲରେ ମେଳି କରିଥିବା ବେଳେ ଅନ୍ୟପଟେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା । ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ ପ୍ରତାପ ଦେବଙ୍କ ଘରେ ପହଞ୍ଚିଛନ୍ତି । ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡିର ଯୁବ ନେତା ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ । ଗତକାଲି ଅଂଶୁମାନଙ୍କ ଘରେ ମେଳି କରିଥିଲେ ବିଜେଡିର ଯୁବ ନେତା ।