କନକ ବ୍ୟୁରୋ : ଯାଜପୁର ଜିଲ୍ଲା ରାହାସୋଇ ପଞ୍ଚାୟତରେ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିନ୍ତୁ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିନି ପୋଲିସ । ତେବେ ପଞ୍ଚାୟତରେ ଦୁର୍ନୀତି ନେଇ ଆରଟିଆଇ କର୍ମୀ ତଥ୍ୟ ମାଗିବା ପରେ ସରପଞ୍ଚ, ଲୋକ ଲଗାଇ ଆକ୍ରମଣ କରିବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ଯାଜପୁର ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ଏକ ଦୃଶ୍ୟ ଯେତିକି ଲଜ୍ଜାଜନକ ସେତିକି ସମ୍ବେଦନଶୀଳ । ମାଡ଼ ଖାଉଥିବା ମହିଳାଙ୍କ ଭୁଲ୍ ଏଇଆ ଯେ, ତାଙ୍କ ସ୍ୱାମୀ ଅଶୋକ ପତି ପଞ୍ଚାୟତରେ ହେଉଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଆରଟିଆଇରେ ତଥ୍ୟ ମାଗିଥିଲେ । ଏହାପରେ ସରପଞ୍ଚଙ୍କ ସ୍ୱାମୀ ଟୁଲୁ ରଥଙ୍କର କିଛି ପାଖ ଲୋକ ଅଶୋକଙ୍କ ପତ୍ନୀ ଓ ମା’ଙ୍କୁ ମାଡ଼ ମାରିଥିଲେ । ଗାଁ ଦାଣ୍ଡର ଏହି ଦୃଶ୍ୟ ତାଲିବାନ ଶାସନଠାରୁ କିଛି କମ ନୁହେଁ ।

ଆରଟିଆଇ କର୍ମୀ ଅଶୋକ ପତିଙ୍କ ମା’ଙ୍କ ବୟାନ ଆଧାରରେ ଦଶରଥପୁର ପୋଲିସ ୨ଟି ମାମଲା ରୁଜୁ କରିଛି । ଗିରଫ ହୋଇଛନ୍ତି ୨ ଜଣ ବ୍ୟକ୍ତି ଦୀପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀ । କିନ୍ତୁ ଏପର୍ଯ୍ୟନ୍ତ ଦୁର୍ନୀତି ପଛରେ ଥିବା ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନି ପୋଲିସ । ଯାହାକୁ ନେଇ ତାତିଛନ୍ତି ସୂଚନା ଅଧିକାର କର୍ମୀ । ପରିବାରକୁ ଭେଟିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ବିଧାୟକଙ୍କ ସହ ସଂରପଞ୍ଚଙ୍କ ସ୍ୱାମୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପୋଲିସ ଓ ପ୍ରଶାସନ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଯାଜପୁର ଜିଲ୍ଲା ବିଜେପି ସଭାପତି । ଜବାବରେ ବିଜେଡି କହିଛି, ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।

ଏଠି ପ୍ରଶ୍ନ ଉଠୁଛି, ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ,  କାହିଁକି ଆକ୍ରୋଶର ଶିକାର ହେଉଛନ୍ତି ଆରଟିଆଇ କର୍ମୀ ? କେବେ ଗିରଫ ହେବେ ସରପଞ୍ଚଙ୍କ ସ୍ୱାମୀ ? କାହିଁକି ମୁହଁ ଖୋଲୁ ନାହାନ୍ତି ସ୍ଥାନୀୟ ବିଧାୟିକା ?