କନକ ବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ, ବିମାନ ଯାତ୍ରାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଜୁନ୍ ୧୨ ତାରିଖରେ ହୋଇଥିବା ଏହି ଦୁର୍ଘଟଣାରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିମାନର ଉଭୟ ଇଞ୍ଜିନ୍ ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ କାମ କରିବା ବନ୍ଦ କରିଦେଇଥିଲା ।
RTIର ମିଳିଥିବା ସୂଚନା ଅନୁସାରେ ଜଣାପଡ଼ିଛି ଯେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି (BCAS) କର୍ମଚାରୀଙ୍କ ଏକ ବଡ଼ ଅଭାବର ସମ୍ମୁଖୀନ ହେଉଛି । ଦେଶର ବିମାନବନ୍ଦରଗୁଡିକରେ ସୁରକ୍ଷା ଦାୟିତ୍ୱରେ ଥିବା ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ କର୍ମଚାରୀଙ୍କ ଘୋର ଅଭାବ ସମସ୍ୟା ଦେଇ ଗତି କରୁଛନ୍ତି । ଏହି ଅଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS)ରେ ମଞ୍ଜୁର ହୋଇଥିବା ୫୯୮ଟି ପଦବୀରୁ ୨୦୮ଟି ପଦବୀ ଖାଲି ପଡିଛି, ଅର୍ଥାତ୍ ପ୍ରାୟ ୩୫% କର୍ମଚାରୀଙ୍କ ଅଭାବ ରହିଛି । ସେହିପରି, ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)ରେ ମଧ୍ୟ ହଜାର ହଜାର କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି । ଏକ ଆଭ୍ୟନ୍ତରୀଣ ସରକାରୀ ଅଧ୍ୟୟନରୁ ଜଣାପଡିଛି ଯେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ପ୍ରମୁଖ ବିମାନବନ୍ଦରରେ ୪,୦୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କ ଅଭାବ ରହିଛି । କେବଳ ଦିଲ୍ଲୀ ବିମାନବନ୍ଦରରେ ହିଁ ୧,୩୦୦ରୁ ଅଧିକ CISF କର୍ମଚାରୀଙ୍କ ଅଭାବ ରହିଛି ।
ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ତଦାରଖର ଦୃଢ଼ତା ପାଇଁ ବିପଦ ସୃଷ୍ଟି କରୁଛି ବୋଲି ସଂସଦୀୟ ପ୍ୟାନେଲ୍ ଚିନ୍ତା ବ୍ୟକ୍ତ କରିଛି । ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସୁରକ୍ଷା କର୍ମଚାରୀଙ୍କ ଏହି ଅଭାବ ଯାତ୍ରୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଖାଲି ପଦବୀଗୁଡ଼ିକୁ ପୂରଣ କରିବା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ତେବେ, ଏହି ସମସ୍ୟାର ସମାଧାନ କେବେ ସୁଦ୍ଧା ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।