କନକ ବ୍ୟୁରୋ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଆରଏସଏସ ନାଗପୁରରେ ବିଜୟା ଦଶମୀ ପାଳନ କରିଛି । ଏହି ଅବସରରେ ଆରଏସଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ଭାରତୀୟଙ୍କୁ ମାରିଥିଲେ । ସେନା ଓ ସରକାର ଏଥିପାଇଁ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି । ଆମ ସେନାର ଶୌର୍ଯ୍ୟ ସାରା ବିଶ୍ବ ଦେଖିଛି । ମୋହନ ଭାଗବତ ନେପାଳ ଏବଂ ଶ୍ରୀଲଙ୍କାରେ ବିପ୍ଳବ ବିଷୟ ମଧ୍ୟ ଉଲ୍ଲେଖ କରିଥିଲେ । କହିଥିଲେ, ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ଆଖି ଆଗରେ ରଖି ନୀତି ପ୍ରସ୍ତୁତ କରା ନଗଲେ ଅସନ୍ତୋଷ ସୃଷ୍ଟି ହୋଇଥାଏ । ବାବା ସାହେବ ଏହି ପ୍ରକାରର ଆନ୍ଦୋଳନକୁ ଅରାଜକତାର ବ୍ୟାକରଣ ବୋଲି କହିଥିଲେ ।
ଏପରି ହିଂସାତ୍ମକ ଉପାୟରେ ପରିବର୍ତ୍ତନ ଆସେ ନାହିଁ । ଫ୍ରାନ୍ସରେ ନେପୋଲିୟନ ସମ୍ରାଟ ହୋଇଥିଲେ ଏବଂ ରାଜତନ୍ତ୍ର ରହିଥିଲା । କମ୍ୟୁନିଷ୍ଟ ଦେଶଗୁଡ଼ିକ ପୁଞ୍ଜିବାଦୀ ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି । ଏହା ଉଦ୍ଦେଶ୍ୟ ହାସଲ କରେ ନାହିଁ । ତେବେ ବର୍ତ୍ତମାନର ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମୋହନ ଭାଗବତ ଆହ୍ୱାନ କରିଥିଲେ । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।