କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାର ନିଜ ଦଳର ଜଣେ ବିଧାୟକଙ୍କ ମାଇନିଂ କମ୍ପାନି ଉପରେ ୪୪୩ କୋଟି ଟଙ୍କା ଜରିମାନା ଲାଗାଇଛନ୍ତି । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଲିଖିତ ଉତ୍ତର ଦେଇଛନ୍ତି । ସୂଚନା ମୁତାବକ କଟନିର ବିଜୟରାଘବଗଡ଼ରୁ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସଂଜୟ ପାଠକ ବେଆଇନ ଭାବେ ଖଣି ଖୋଳିଛନ୍ତି । ବିଧାୟକ ସଂଜୟ ପାଠକଙ୍କ ନାମରେ ୩ ଟି ଖଣି ରହିଛି । ଯେଉଁ ଖଣିରୁ ବେଆଇନ ଭାବେ ସେ ଲଗାତର ଖଣିଜ ସମ୍ପଦ ଉର୍ତ୍ତୋଳନ କରୁଛନ୍ତି ।
ଏନେଇ ଆଶୁତୋଷ ମନୁ ଦିକ୍ଷୀତ ନାମକ ଜଣେ ବ୍ୟକ୍ତି ଅର୍ଥନୈତିକ ଅପରାଧ ଶାଖରେ ଅଭିଯୋଗ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ କି ସଂଜୟ ପାଠକ ବେଆଇନ ଭାବେ ଖଣିଜ ଉର୍ତ୍ତୋଳନ କରୁଛନ୍ତି । ଅଭିଯୋଗ ପରେ ଏପ୍ରିଲ ୨୩ ତାରିଖରେ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ଯାଂଚ ଟିମ୍ ଜୁନ ୬ ତାରିଖରେ ଏକ ରିପୋର୍ଟ ପ୍ରଦାନ କରିଥିଲା । ଏଥିରେ ବେଆଇନ ଭାବେ ୪୪୩ କୋଟି ଟଙ୍କାର ଖଣିଜ ଉର୍ତ୍ତୋଳନ ହୋଇଥିବା ଦର୍ଶାଯାଇଥିଲା ।
ସେପଟେ ଏଭଳି ରିପୋର୍ଟକୁ ନେଇ ସଂଜୟ ପାଠକ ସଫେଇ ଦେଇଛନ୍ତି । ସେ କହିଛନ୍ତି କି, ଯାଂଚ କରୁଥିବା ଟିମ୍ ମିଥ୍ୟା ରିପୋର୍ଟ ଦାଖଲ କରିଛି । ଏହାସହ ସଂଜୟ ପାଠକଙ୍କ କମ୍ପାନି ତରଫରୁ ଏକ ପତ୍ର ଜାରି କରାଯାଇଛି । କୁହାଯାଇଛି କି, ଏହି କମ୍ପାନି ୭୦ ବର୍ଷ ଧରି ଖଣି ବ୍ୟବସାୟରେ ରହିଛି । କମ୍ପାନି ଦ୍ୱାରା କୌଣସି ବେଆଇନ ଉର୍ତ୍ତୋଳନ କରାଯାଇନାହିଁ ।
କଟନୀ ବିଜୟରାଘବଗଡ଼ରୁ ବିଧାୟକ ଥିବା ସଂଜୟ ପାଠକ ଜଣେ ଖଣି ବ୍ୟବସାୟୀ । ସେ ୨୦୧୩ ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ବାପା ସତ୍ୟନ୍ଦ୍ର ପାଠକ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ ଓ ଦିଗବିଜୟ ସିଂଙ୍କ ସରକାରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ କାମ କରିଥିଲେ ।