କନକ ବ୍ୟୁରୋ: ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଶେଷ ଯୋଗ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଯୋଜନା ନପହଞ୍ଚିବା ଯାଏଁ ରେଜିଷ୍ଟ୍ରେସନ୍ ଚାଲିବ ଏବଂ ୧୭ ତାରିଖକୁ ନେଇ ନିଶ୍ଚିତ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଟଙ୍କା ଆକାଉଣ୍ଟକୁ ଯିବ । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ ହୋଇଥିବା ଆକାଉଣ୍ଟକୁ ପ୍ରଥମ କିସ୍ତି ଯିବ । ଏବେ ଯାଏଁ ୬୦ ଲକ୍ଷ ମହିଳା ପଞ୍ଜିକରଣ କରିସାରିଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆଜିଠୁ ଭୁବନେଶ୍ୱରରୁ ଆରମ୍ଭ ହୋଇଛି ସୁଭଦ୍ରା ସ୍ବାଗତ ପଦଯାତ୍ରା । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂହଦେଓଙ୍କ ସମେତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାଶ ପ୍ରମୁଖ ସାମିଲ ହୋଇଛନ୍ତି । ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ହୋଇଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ରମାଦେବୀଙ୍କ ପ୍ରତିମୂର୍ତିରେ ମାଲ୍ୟାପର୍ଣ କରିଛନ୍ତି ।