କନକ ବ୍ୟୁରୋ : ଦାଣ୍ତରେ ପଡ଼ି ହାଟରେ ଗଡ଼ିଲାଣି ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର କଳି । ଭାଇ ଭାଇଙ୍କ ସମ୍ପର୍କରେ ପଡ଼ିଲା ରାଜନୈତିକ ଫାଟ । ନବୀନଙ୍କ ପାଇଁ ଫିକା ପଡ଼ିଗଲେ ବଡ଼ ଭାଇ ସିଦ୍ଧାର୍ଥ । ଗୋଟିକ ପରେ ଗୋଟିଏ ଗୋଇ ଖୋଳିଲେ ସାନ ଭାଇ ମନ୍ମଥ । ସାଧାରଣ ନିର୍ବାଚନ ବେଳୁ ଦୁଇ ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଫାଟ ବଢ଼ିବାରେ ଲାଗିଛି । ଗଣମାଧ୍ୟମ ଆଗରେ ସୁର ଯେତେ ସତ ଲୁଚାଉଥିଲେ ମଧ୍ୟ ଲୁଚୁନି । ସୁରଙ୍କ ନିୟନ୍ତ୍ରଣରେ ଆଉ ନାହାନ୍ତି ଦୁଇ ପୁଅ ।
ବଡ଼ ଭାଇ ସିଦ୍ଧାର୍ଥଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ମନ୍ମଥ । କହିଲେ, ସୁରଙ୍କ ଘରେ ଜଣେ ବ୍ୟକ୍ତି ନବୀନ ଓ ପାଣ୍ତିଆନକୁ ଗାଳି କରୁଛନ୍ତି । ଦିନେ ସିଏ ଯାଇ ଦୁହିଁଙ୍କୁ ବାରମ୍ବାର ଦେଖା କରୁଥିଲେ । ଦେଖା କଲା ପରେ ବି ସେ ଶେଷରେ ରିଜେକ୍ଟ ହୋଇଥିଲେ । ସୁରଙ୍କୁ ନେଇ ବିଜେପି ନେତାଙ୍କୁ ଦିଲ୍ଲୀରେ ଭେଟିଥିଲେ । ଯଦି ଓଡ଼ିଶାକୁ ଭଲ ପାଉଥିଲେ ତା ହେଲେ ୧୮ ବର୍ଷ କୁଆଡ଼େ ଥିଲେ । ବାପା ମାଆଙ୍କୁ ଛାଡ଼ି ସେଠାରେ କଣ କରୁଥିଲେ । ତାଙ୍କ ପରିବାର ଆମେରିକା ପାସପୋର୍ଟରେ କାହିଁକି ଅଛନ୍ତି । କିଛି ପାଇଲେନି ବୋଲି ନବୀବ ଓ ପାଣ୍ତିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ଗାଳି ଦେଉଥିବାରୁ ମୁଁ ତାକୁ ସହିପାରୁନି । ସେ ଯାହା କରୁଛନ୍ତି ତାକୁ ପ୍ରମାଣ କରି ଦେଖାନ୍ତୁ ।
୨୪ ସାଧାରଣ ନିର୍ବାଚନ ବେଳେ ଦୁଇଟି ଅଲଗା ଦଳରୁ ନିର୍ବାଚନ ଲଢ଼ିଥିଲେ ସୁରଙ୍କ ଦୁଇ ପୁଅ । ବଡ଼ ପୁଅ ସିଦ୍ଧାର୍ଥ ନିମାପଡ଼ାରୁ କଂଗ୍ରେସ ଟିକେଟରେ ଲଢିଥିଲେ ଏବଂ ସାନ ପୁଅ ମନ୍ମଥ ହାଇପ୍ରୋଫାଇଲ୍ ସିଟ୍ ଭୁବନେଶ୍ୱର ସାଂସଦ ପାଇଁ ବିଜେଡିରୁ ଲଢ଼ିଥିଲେ । ଉଭୟ ହାରିଥିଲେ ନିର୍ବାଚନ । କିନ୍ତୁ ସେବେଠୁ ଦୁହିଁଙ୍କ ଭିତରେ ପଡ଼ିଥିଲା ଆନ୍ତରିକତାର ପୁର୍ଣ୍ଣଚ୍ଛେଦ । ଆଉ ଆରମ୍ଭ ହୋଇଥିଲା ମତାନ୍ତର ମନାନ୍ତର । ଯାହା ଏବେ ଉଗ୍ର ରୂପ ନେଇଛି ବୋଲି ମନ୍ମଥଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ।