କନକ ବ୍ୟୁରୋ : ରାଉରକେଲାରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପ୍ରେମ ସମ୍ପର୍କକୁ ନେଇ  ଏହି  ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି । ପ୍ରେମ ସମ୍ପର୍କରେ ମଧ୍ୟସ୍ଥି ସାଜିବାରୁ ଯାଇଛି ନିରୀହ ଜୀବନ । ଝିଅ ପାଇଁ ଫୋନରେ କଥା କଟାକଟି ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା  । ଏଥିରେ ମୁକେଶ କର ନାମକ ଯୁବକ ପ୍ରାଣ ହରାଇଥିଲେ ।  ସିସିଟିଭି ଆଧାରରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ  । ହତ୍ୟାରେ ବ୍ୟବହୃତ ଫାର୍ସା ଓ ତିନିଟି ବାଇକ୍ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଧରିବାକୁ ପ୍ରୟାସ  ଜାରି ରଖିଛି ପୁଲିସ ।

Advertisment

ଗିରଫ ସମସ୍ତ ଅଭିଯୁକ୍ତ ରାଉରକେଲାର ହୋଇଥିବା ବେଳେ ସେମାନଙ୍କ ବୟସ ୧୮ରୁ ୨୧ବର୍ଷ ମଧ୍ୟରେ ହେବ  ।  ପ୍ରେମ ସମ୍ପର୍କରୁ ପୁଅର ଜୀବନ ଯାଇଥିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ମୁକେଶ କରଙ୍କ ପରିବାର ଲୋକ  । ଅନ୍ୟ ଅଭିଯୁକ୍ତ ପୁଲିସକୁ ଚ୍ୟାଲେଞ୍ଜ ଦେଇ  ଖୋଲାଖୋଲି ବୁଲୁଛନ୍ତି । ହତ୍ୟା ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକ ।

ଗତ ୯ ତାରିଖରେ ଜନଗହଳିପୂର୍ଣ୍ଣ ରାଉରକେଲା ଭିଏସଏସ ମାର୍କେଟରେ ମୁକେଶ କରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଫାର୍ସା ଓ ରଡ୍ ଯୋଗେ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ । ଏହି ଘଟଣା ରାଉରକେଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଆକ୍ରମଣର ଶିକାର ଅନ୍ୟ ଜଣେ ଯୁବକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।