କନକ ବ୍ୟୁରୋ : ବୁଡ଼ିଲା ବସ୍ତି । ପାଣି ଘେରରେ ବସ୍ତି ବାସିନ୍ଦା । ଯୁଆଡ଼େ ଦେଖିବ ଆଣ୍ଠୁଏ ଉପରେ ପାଣି ! ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଉଲକେଲା ସ୍ମାର୍ଟ୍ ସିଟି । ଲଗାଣ ବର୍ଷା ଫଳରେ ବସ୍ତିରେ ଲହଡ଼ି ଭାଙ୍ଗୁଛି ପାଣି l ଘର ଭିତରେ ଓ ବାହାରେ ପାଣି ଜମି ଥିବାରୁ ଏକ ପ୍ରକାର ଜଳବନ୍ଦୀ ହୋଇ ପଡ଼ିଛନ୍ତି ବସ୍ତି ବାସିନ୍ଦା । ବାଲୁଘାଟ, ସର୍ଦ୍ଦାର ବସ୍ତି ଓ ନିଉ ବସ୍ତି ଅଞ୍ଚଳ ପାଖାପାଖି ତିରିଶ ପରିବାର ଏବେ ପାଣି ଘେରରେ ଅଛନ୍ତି । ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥର ଶାଳପଡ଼ା ଛକଠାରେ ଜାତୀୟ ରାଜପଥ ଉପରେ ଚାଲିଛି ଆଣ୍ଠୁଏ ପାଣି । ପାଣି ଭିତରେ ରହିଛି ବଡ଼ବଡ଼ ଖାଲ । ସେହି ବାଟ ଦେଇ ଚାଲିଛି ଛୋଟବଡ଼ ଶହଶହ ଗାଡ଼ି । ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ରାସ୍ତାର ଏଭଳି ଅବସ୍ଥାକୁ ଦାୟୀ କରି ରାସ୍ତାରୋକ କରିଛନ୍ତି ।

Advertisment

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଲଲହଡା ରେଙ୍ଗାଳିରେ ଥିବା ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ତାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରେଙ୍ଗାଳି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୨୩.୫୦ ମିଟର । ଫଳରେ ଜଳ ଭଣ୍ଡାର କତ୍ତୃପକ୍ଷ ପୂର୍ବରୁ ୨ଟି ଗେଟ୍ ଖୋଲିଥିବା ବେଳେ ଆଜି ୧୦ ନଂଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି ।

ସେପଟେ ଗତକାଲି ସକ୍ରିୟ ଥିବା ଅବପାତ ଦୁର୍ବଳ ହୋଇ ଝାଡଖଣ୍ଡ ଓ ବିହାର ଉପରେ ଅବସ୍ଥିତ ଅଛି । ଏହାର ପ୍ରଭାବରେ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଯାଜପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ ।