କନକ ବ୍ୟୁରୋ : ବିଶ୍ୱ ଶାନ୍ତି ଓ ସମନ୍ୱୟ ପ୍ରତି ନିଜର ଅତୁଟ ସମର୍ପଣକୁ ପ୍ରତିପାଦିତ କରି ବାରେ, ରୋଟାରି ଡିଷ୍ଟ୍ରିକ୍ଟ ୩୨୬୨ ଦ୍ୱାରା କଳିଙ୍ଗ ହସ୍ପିଟାଲରେ ଏକ ଶାନ୍ତି ସ୍ତୁପ ସ୍ଥାପନ କରାଯାଇଛି । ଏହି ଶାନ୍ତି ସ୍ତୁପ ରୋଟାରିର ଅତୁଟ ଦୃଷ୍ଟିକୋଣ “ଲେଟ ପିସ୍ ପ୍ରିଭେଲ୍ ଅନ ଅର୍ଥ”(ପୃଥିବୀରେ ଶାନ୍ତି ସ୍ଥାପନ ହେଉ)କୁ ଶକ୍ତିଶାଳୀ ଭାବେ ସ୍ମରଣ କରାଉଛି । ବିଶ୍ୱ ଶାନ୍ତି ଓ ସମନ୍ୱୟ ପାଇଁ ଏହା ଏକ ଅନନ୍ୟ ଉଦ୍ୟମ । ଶାନ୍ତି ସ୍ତୁପରେ ସନ୍ଦେଶ ଲେଖାଯାଇଛି ଯେ, ସାରା ବିଶ୍ୱର ସମସ୍ତ ଲୋକଙ୍କ ମନରେ ଦ୍ୱେଷ, ବିଭାଜନ ଓ ସଂଘର୍ଷ ରହିତ ଚିନ୍ତାଧାରା ପୃଥିବୀ ପ୍ରତି ଆଶାକୁ ପ୍ରତିବିମ୍ବିତ କରେ । ଏହି ଶାନ୍ତି ସ୍ତୁପ ସ୍ଥାପନା ମାଧ୍ୟମରେ, ରୋଟାରି ଡିଷ୍ଟ୍ରିକ୍ଟ 3262 ସଂସ୍କୃତିଗତ ଏକତା, ସଂଳାପ ଓ ଅନୁଭୂତିକୁ ଅନୁମୋଦନ ଦେଇଛି ।
ଏହି ଅବସରରେ ରୋଟାରି ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର କହିଛନ୍ତି, “ଶାନ୍ତି ମାନେ କେବଳ ଯୁଦ୍ଧ ହେଉନଥିବା ଅବସ୍ଥା ନୁହେଁ, ବରଂ ଏହା ହେଉଛି ନ୍ୟାୟ, ସମତା ଓ ଦୟାର ଉପସ୍ଥିତି । ଏହି ଶାନ୍ତି ସ୍ତୁପ ମାଧ୍ୟମରେ ଆମେ ସମସ୍ତ ଜନମାନସଙ୍କୁ ନିଜ ଭୂମିକା ବିଷୟରେ ଚିନ୍ତା କରିବାକୁ ପ୍ରେରିତ କରିବାକୁ ଚାହୁଁଛୁଁ ।” ଶାନ୍ତି ସ୍ତୁପ ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ କଳିଙ୍ଗ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାସ ଏବଂ ଜଣେ ବିଶିଷ୍ଟ ରୋଟାରି ସଦସ୍ୟ କହିଛନ୍ତି, "ଛୋଟ ଛୋଟ ପ୍ରତୀକ ମଧ୍ୟ ଏକ ବୃହତ ପରିବର୍ତ୍ତନ ଆଣିପାରେ । ଏହି ଶାନ୍ତି ସ୍ତୁପ ପ୍ରତିଦିନ ସମସ୍ତଙ୍କୁ ଦୟା, ସହିଷ୍ଣୁତା ଓ ଶାନ୍ତି ପ୍ରତି ଅନୁପ୍ରେରିତ କରିବା ପାଇଁ ସହଯୋଗ କରିବ ।" ଏହି ଅବସରରେ କଳିଙ୍ଗ ହସ୍ପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ଦୋରା ଏବଂ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।
Follow Us