କନକ ବ୍ୟୁରୋ : ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଆମେ ବ୍ୟବହାର କରୁଥିବା ରୁମ୍ ହିଟର ଏବେ ଅନେକଙ୍କ ପାଇଁ ମରଣଯନ୍ତା ପାଲଟିଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ବିହାରର ଗାଁ ଗହଳି ପର୍ଯ୍ୟନ୍ତ, ଅନେକ ପରିବାର ବନ୍ଦ କୋଠରୀରେ ହିଟର ଲଗାଇ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଡାକ୍ତରମାନେ ଏହି ମୃତ୍ୟୁକୁ ‘ସାଇଲେଣ୍ଟ କିଲର’ ବୋଲି କହୁଛନ୍ତି, କାରଣ ଏହା ବିନା କୌଣସି ଶବ୍ଦ କିମ୍ବା ସତର୍କବାଣୀରେ ମଣିଷର ଜୀବନ ନେଇଯାଏ । ବିଜ୍ଞାନ ଅନୁସାରେ, ଶୀତଦିନେ ଝରକା ଓ କବାଟ ବନ୍ଦ କରି ହିଟର ବ୍ୟବହାର କରିବା ଦ୍ୱାରା କୋଠରୀ ମଧ୍ୟରେ ଥିବା ଅମ୍ଳଜାନ କ୍ରମାଗତ ଭାବେ ହ୍ରାସ ପାଇଥାଏ ଏବଂ ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ଗ୍ୟାସର ମାତ୍ରା ବୃଦ୍ଧି ପାଏ ।
ଏହି ଗ୍ୟାସର କୌଣସି ଗନ୍ଧ ନଥିବାରୁ ଶୋଇଥିବା ବ୍ୟକ୍ତି ଜାଣିପାରନ୍ତି ନାହିଁ ଯେ ସେମାନେ ବିଷାକ୍ତ ବାୟୁ ଗ୍ରହଣ କରୁଛନ୍ତି । ଫଳରେ ରକ୍ତରେ ଅମ୍ଳଜାନର ମାତ୍ରା କମିଯାଏ ଏବଂ ମଣିଷ ଅଣନିଶ୍ୱାସୀ ହୋଇ ନିଦ୍ରା ଅବସ୍ଥାରେ ହିଁ ମୃତ୍ୟୁବରଣ କରିଥାଏ । ହିଟରର କୁପ୍ରଭାବ ଯୋଗୁଁ ପ୍ରଥମେ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଏବଂ ଅତ୍ୟଧିକ ନିଦ ଲାଗିବା ଭଳି ଲକ୍ଷଣ ଦେଖାଦିଏ, ଯାହା ଶରୀରରେ ଅମ୍ଳଜାନର ଅଭାବକୁ ସୂଚାଇଥାଏ । ଏହି ସମସ୍ୟାରେ ବିଶେଷ କରି ଛୋଟ ପିଲା ଏବଂ ବୃଦ୍ଧମାନେ ସବୁଠାରୁ ଶୀଘ୍ର ପ୍ରଭାବିତ ହୁଅନ୍ତି । ବିଶେଷଜ୍ଞଙ୍କ ମତରେ ଇଲେକ୍ଟ୍ରିକ୍ ହିଟର ଅପେକ୍ଷା ଗ୍ୟାସ୍ ବର୍ଣ୍ଣର ବା କୋଇଲା ଚୂଲା ବନ୍ଦ କୋଠରୀ ଭିତରେ ବ୍ୟବହାର କରିବା ଅଧିକ ବିପଜ୍ଜନକ ।
ଅଧିକ ପଢ଼ନ୍ତୁ---ବର୍ଷ ଆରମ୍ଭରୁ ଇସ୍ରୋକୁ ଝଟକା… ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମିସନ୍ ଫେଲ୍
ଏହି ବିପଦରୁ ରକ୍ଷା ପାଇବା ପାଇଁ କିଛି ସାଧାରଣ ସତର୍କତା ଅବଲମ୍ବନ କରିବା ଜରୁରୀ । ହିଟର ଚାଲୁଥିବା ବେଳେ ଘରର ଅନ୍ତତଃପକ୍ଷେ ଗୋଟିଏ ଝରକା କିମ୍ବା ଭେଣ୍ଟିଲେସନ୍ ଖୋଲା ରଖିବା ଉଚିତ୍ ଯେପରି ବାୟୁ ଚଳାଚଳ ସଠିକ୍ ଭାବେ ହୋଇପାରିବ । ରାତିସାରା ହିଟର ଚଲାଇ ଶୋଇବା ବଦଳରେ ଶୋଇବା ପୂର୍ବରୁ କୋଠରୀକୁ କିଛି ସମୟ ଗରମ କରି ହିଟର ବନ୍ଦ କରିବା ଶ୍ରେୟସ୍କର । ମନେରଖନ୍ତୁ, ସାମାନ୍ୟ ସତର୍କତା ଓ ସଚେତନତା ଶୀତ ଋତୁରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଏହି ଅଦୃଶ୍ୟ ବିପଦରୁ ସୁରକ୍ଷିତ ରଖିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/12/room-heaters-2026-01-12-15-13-32.jpg)