ପାଠକ ଥରେ ଭାବନ୍ତୁ , ଆପଣଙ୍କ ଘର କୋଣରେ ଗୋଟିଏ ପଥର ପଡ଼ିଥିବ । ଯାହାକୁ ଆପଣ କବାଟ ଭରା ଦେବା ପାଇଁ ରଖିଥିବେ । କିନ୍ତୁ ପରେ ଜଣାପଡ଼ିବ ସେ ପଥରର ଦାମ୍ କାହିଁରେ କେତେ । ପରିସ୍ଥିତି ଯଦି ଏମିତି ଆସିଲା ନିଶ୍ଚୟ ମୁଣ୍ଡଟା ବୁଲାଇବ ନହେଲେ ଏତେ ଦିନ ଯାଏଁ କରୁଥିଲି କ’ଣ , ଆଗରୁ ହେଲେ ଜାଣିଥାନ୍ତି ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ମନରେ ଉଙ୍କି ମାରିବ । ଏ ଆପଣଙ୍କ ଭାବନା ହୋଇପାରେ କିନ୍ତୁ ବିଶ୍ବର ଏକ କୋଣରେ ଘଟଣାଟି ଜଣେ ମହିଳାଙ୍କ କ୍ଷେତ୍ରରେ ସତ ହୋଇଛି ।
ଆଜ୍ଞା ହଁ , ଉତ୍ତରପୂର୍ବ ରୋମାନିୟାରେ ଜଣେ ବୃଦ୍ଧ ମହିଳା ଅନେକ ଦିନ ଧରି ଗୋଟିଏ ପଥର ଘରେ ରଖିଥିଲେ ଯାହାକୁ ସେ କବାଟ ଭରା ଦେବା ପାଇଁ ରଖୁଥିଲେ । ପଥରଟି ତାଙ୍କୁ ଏକ ନଦୀ କୂଳରୁ ମିଳିଥିଲା , ଯାହାକୁ ସେ ଘରକୁ ଆଣିଥିଲେ । କିନ୍ତୁ କଥାରେ ଅଛି କାହାର ଅଳିଆ ଆଉ କାହା ପାଇଁ ଗୁପ୍ତଧନ । ଏହି ପଥରକୁ ସାମାନ୍ୟ ଭାବି ଘର କୋଣରେ ବର୍ଷ ବର୍ଷ ଧରି ବୃଦ୍ଧାଜଣକ ରଖିଥିଲେ କିନ୍ତୁ ପଥରଟିର ମୂଲ୍ୟ ଥିଲା ୮.୪୯ କୋଟି । ପଥରକୁ ରୁମାନାଇଟ୍ ବୋଲି କୁହାଯାଏ । ଗଛରୁ ବାହାରୁଥିବା ରେସିନରେ ତିଆରି ଏହି ରୁମାନାଇଟ୍ ପଥରକୁ ଏତେ ବଡ଼ ହେବା ପାଇଁ ଶତକ ସମୟ ଲାଗିଯାଏ। ସମୟ ସହିତ ଏହି ପଥର ଟାଣ ହୁଏ । କିଛି ସମୟ ପରେ ଏହି ପଥର ଜୀବାଶ୍ମରେ ପାଲଟିଯାଏ ଯାହାକୁ ଲୋକ ଜେମସ୍ ଷ୍ଟୋନ୍ ବୋଲି ମଧ୍ୟ କୁହନ୍ତି । ରୋମାନିଆରେ ଏହି ପଥର କୋଲ୍ଟି ଗାଁର ବୁଜାଉ ନଦୀ ପାଖରେ ଦେଖିବାକୁ ମିଳେ । ଥରେ ବୃଦ୍ଧାଙ୍କ ଘରେ ଚୋରୀ ମଧ୍ୟ ହୋଇଥିଲା କିନ୍ତୁ ଚୋରମାନେ ଏହି ପଥରର ମୂଲ୍ୟ ନଜାଣି ଛାଡ଼ି ଚାଲିଯାଇଥିଲେ । କବାଟ କୋଣରେ ପଡ଼ିଥିବା ପଥରର ମୂଲ୍ୟକୁ ପରଖି ପାରିଲେନି ଚୋର ।
ଘଟଣାଟି ଏବେକାର ନୁହଁ , ୧୯୯୧ ମସିହାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା । ବୃଦ୍ଧାଙ୍କ ସମ୍ପତ୍ତିକୁ ତାଙ୍କ ସନ୍ତାନ ବିକ୍ରି କରିଦେଇଥିଲେ । ଭାଗରେ ଯେତେବେଳେ ରୁମାନାଇଟ୍ ପଥର ଆସିଲା ତାକୁ ମଧ୍ୟ ଆଡ଼େଇ ଚାଲିଯାଇଥିଲେ । ଯାଞ୍ଚ୍ କରିବା ପରେ ଏବେ ଏ ପଥରର ମୂଲ୍ୟ ଜଣାପଡ଼ିଛି । ଏକ୍ସପର୍ଟଙ୍କ କହିବାନୁସାରେ , ଏହି ପଥରଟି ୭ କୋଟି ବର୍ଷ ପୁରୁଣା । ପ୍ରୋବିସିୟଲ୍ ମ୍ୟୁଜିୟମ୍ ଅଫ୍ ବୁଜାଉର ନିର୍ଦ୍ଦେଶକ ଡେଲିୟଲ୍ କୋଷ୍ଟାଚେଙ୍କ କହିବାନୁସାରେ , ଉଭୟ ବୈଜ୍ଞାନିକ ଏବଂ ପୁରାତନତତ୍ତ୍ବବିତଙ୍କ ପାଇଁ ଏହି ପଥରର ଆବିଷ୍କାର ଅଦ୍ଭୁତ । ବର୍ତ୍ତମାନ ଏହି ପଥର ରୋମାନିୟାର ଜାତୀୟ ସଂପଦରେ ସାମିଲ୍ ହୋଇଛି । ଏହି ପଥରକୁ ୨୦୨୨ ରୁ ପ୍ରୋବିସିୟଲ୍ ମ୍ୟୁଜିୟମ୍ ଅଫ୍ ବୁଜାଉରେ ରଖାଯାଇଛି ।