କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ପରାଜୟ ପରେ ଏବେ ପ୍ରଶ୍ନ ଘେରରେ ଅଧିନାୟକ ରୋହିତ ଶର୍ମା । ଗତ ବର୍ଷ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁ କଷ୍ଟରେ ବାଂଲାଦେଶ ବିପକ୍ଷରେ ୨-୦ରେ ସିରିଜ ହାତେଇଥିଲା ଭାରତ । ହେଲେ ନୁୟଜିଲାଣ୍ଡ ବିପକ୍ଷରେ ୦-୩ରେ ପରାସ୍ତ ହେବା ଆଉ ବର୍ଡର ଗାଭାସ୍କର ଟ୍ରଫି ହାତରୁ ଖସିବା ପରେ ରୋହିତଙ୍କ ପାଇଁ ଅଡୁଆ ବଢିଯାଇଛି । କାରଣ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରୁ ବାଦ ପଡିଛି । ସେଥିପାଇଁ ରୋହିତ ଲମ୍ୱା ସମୟ ଯାଏଁ ଅଧିନାକତ୍ୱ କରିନପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ବିସିସିଆଇର ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ରୋହିତ ଶର୍ମା ନିଜେ ଯୋଗ ଦେଇଥିଲେ । ଆଉ ବିସିସିଆଇର ଶୀର୍ଷ ଅଧିକାରୀ, ଚୟନକର୍ତ୍ତା ମୁଖ୍ୟ ଅଜିତ ଅଗରକରଙ୍କ ସହ ସେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଗୌତମ ଗମ୍ଭୀରଙ୍କ ଉପସ୍ଥିତିରେ ରୋହିତ ଶର୍ମା ଆଉ କିଛି ଦିନ ଟିମ ଇଣ୍ଡିଆର ଅଧିନାୟକ ରହିବା ନେଇ ଇଚ୍ଛା ପ୍ରକାଶ କରିଥିଲେ । ଆଉ ଏବେଠାରୁ ନୂଆ ଅଧିନାୟକ ଖୋଜିବାକୁ ବୋର୍ଡର ଅଧିକାରୀଙ୍କୁ ସଙ୍କେତ ଦେଇଥିଲେ ରୋହିତ ଶର୍ମା । ଆଉ ଯାହାକୁ ଅଧିନାୟକ କରାଯିବ ତାଙ୍କୁ ସେ ପୂରା ସମର୍ଥନ କରିବେ ବୋଲି କହିଥିଲେ ।
ଯଶପ୍ରିତ ବୁମରାହଙ୍କୁ ଉତ୍ତରାଧିକାରୀ ଭାବେ ବାଛିବାକୁ କିଛି ଅଧିକାରୀ ରୋହିତଙ୍କୁ କହିଥିଲେ ବି ଅନ୍ୟ ଅଧିକାରୀ ଏଥିରେ ରାଜି ହୋଇନଥିଲେ । ସୂଚନା ଅନୁସାରେ ରୋହିତ ଶର୍ମା ଟେଷ୍ଟ ଅଧିନାୟକ ପଦ ଛାଡିବାକୁ ଏକପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି । ହେଲେ ସେ ଦିନିକିଆ ଦଳର ଅଧିନାୟକ ରହିବାକୁ ସେ ଚାହୁଁଛନ୍ତି । ଆସନ୍ତା ୨୨ ତାରିଖରେ ଭାରତ ଇଂଲଣ୍ଡ ବିପକ୍ଷରେ ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବା ପରେ ୩ ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳିବ । ସେହିପରି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କିଏ ଅଧିନାୟକ ରହିବ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି । ଆଉ ଏହି ସମୟରେ ହିଁ ବିସିସିଆଇ ଟେଷ୍ଟ ଅଦିନାୟକ ନେଇ ନିଷ୍ପତ୍ତି ନେଇପାରେ ।
ଇଂଲଣ୍ଡ ସିରିଜ ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଦୁବାଇ ଯିବ । ଆଉ ଯେହେତୁ ରୋହିତ ଦିନିକିଆ ଅଧିନାୟକ ରହିବେ ତେଣୁ ଏହି ଟ୍ରଫିରେ ବି ରୋହିତଙ୍କୁ ଅଧିନାୟକ ଭାବେ ଦେଖିବାକୁ ମିଳିପାରେ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ବଡ ବଡ ଖେଳାଳି ଫ୍ଲପ ହୋଇଥିଲେ । ଏମିତି କି ରୋହିତ, ବିରାଟଙ୍କ ବ୍ୟାଟ ବି ଚାଲିନଥିଲା । ଏହି ସିରିଜ ପରଠାରୁ ଉଭୟଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ଅବସର ନେବାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଲାଗି ରହିଥିଲା ।
ସୂଚନାଅନୁସାରେ ବିସିସିଆଇର ଏହି ୱୈଠକରେ ଷ୍ଟାର ଖେଳାଳିଙ୍କୁ ରଣଜୀ ଖେଳିବାକୁ ମଧ୍ୟ କୁହାଯାଇଛି । ହେଲେ ରୋହିତ ବିରାଟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାର ସମ୍ଭାବନା ବହୁତ କମ । ରୋହିତ ଶର୍ମା ୨୦୧୫ଠାରୁ ରଣଜୀ ଟ୍ରଫି ଖେଳିନାହାନ୍ତି । ସେହିପରି ବିରାଟ କୋହଲି ୨୦୧୨ରେ ଶେଷଥର ପାଇଁ ରଣଜୀ ଖେଳିଥିଲେ । ତେବେ ଆସନ୍ତା ୨୩ ତାରିଖରୁ ପୁଣି ରଣଜୀ ଟ୍ରଫି ଆରମ୍ଭ ହେଉଛି । ଦେଖିବା ବାକି ରହିଲା ଏଥିରେ କେଉଁ ଷ୍ଟାର ଖେଳାଳି ଭାଗ ନେଉଛନ୍ତି ।