କନକ ବ୍ୟୁରୋ;  ଅଷ୍ଟ୍ରେଲିଆରେ କାଲିଠୁ ଆରମ୍ଭ ହେବ ବଡ଼ ବ୍ୟାଟେଲ। ୨୨୩ ଦିନ ପରେ ଭାରତୀୟ ଜର୍ସିରେ ନଜର ଆସିବେ ଟିମ ଇଣ୍ଡିଆର ହିଟମ୍ୟାନ ରୋହିତ ଶର୍ମା । ଏହା ପୂର୍ବରୁ ରୋହିତଙ୍କ ଏକ ଭାଇରାଲ ଭିଡିଓ ପ୍ରଂଶସକଙ୍କ ମନରେ ଖୁସି ଭରିଦେଇଛି। ‘ମେକ୍ ଏ ୱିସ ଚାଇଲ୍ଡ’ ନାମକ ଏକ ସଂସ୍ଥା ସହ ଯୋଡ଼ିହୋଇ ଜଣେ କୁନି ଫ୍ୟାନ୍ସକୁ ଭେଟିଥିଲେ ରୋହିତ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରୋହିତ କହିଛନ୍ତି, ‘ଦିନିକିଆ ବିଶ୍ୱକପ ଜିତିବା ମୋ ସ୍ୱପ୍ନ । ମୁଁ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାକୁ ଚାହୁଛି ।’

Advertisment

୨୦୧୫, ୨୦୧୯, ୨୦୨୩, ତିନୋଟି ବିଶ୍ୱକପ ଖେଳିସାରିଛନ୍ତି ରୋହିତ ଶର୍ମା। ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟର ମେରୁଦଣ୍ଡ ରହିଆସିଛନ୍ତି ରୋହିତ । ହିଟମ୍ୟାନଙ୍କ ନେତୃତ୍ୱରେ ୨୦୨୪ ଟି-୨୦ ବିଶ୍ୱକପ ଓ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଛି ଭାରତ । ରୋହିତଙ୍କ କ୍ୟାପଟେନସିପରେ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଯଦିଓ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିଲା ଟିମ ଇଣ୍ଡିଆ । ଏପରିକି ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲର ଶ୍ରେଷ୍ଠ ଖେଳାଳି ହୋଇଥିଲେ ରୋହିତ । ଏବେ ଅଷ୍ଟ୍ରେଲିଆ ଗସ୍ତରେ କେମିତି ରହିବ ହିଟମ୍ୟାନଙ୍କ ପ୍ରଦର୍ଶନ, ତାଉପରେ ସମସ୍ତଙ୍କ ନଜର ।