କନକ ବ୍ୟୁରୋ: ପ୍ରଥମେ ଟି-ଟ୍ୱେଣ୍ଟି ଓ ପରେ ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି କ୍ୟାପ୍‌ଟେନ୍‌ ରୋହିତ ଶର୍ମା । ତେବେ ଆଜି ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଯେଉଁ ଷ୍ଟାଟସ୍‌ ଦେଇଛନ୍ତି ତାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏହାପରେ ରୋହିତ ଶର୍ମା ଦିନିକିଆ କ୍ୟାରିଅରକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଆଲୋଚନା ହେଉଛି । କିଛି ୟୁଜର୍ସ ରୋହିତ ଶର୍ମା ଦିନିକିଆରୁ ଅବସର ନେଇଥିବା ଗୁଜବ ପ୍ରଚାର କରୁଛନ୍ତି । କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ?

Advertisment

ଆଜି ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଏକ ଫଟୋ ସେୟାର କରିଛନ୍ତି ରୋହିତ ଶର୍ମା । ଏକ ହେଲ୍‌ମେଟ୍‌ ଉପରେ ତାଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ତାରିଖ ଥିବା ଫଟୋ ଷ୍ଟାଟସ ରଖିଛନ୍ତି ହିଟ୍‌ମ୍ୟାନ୍ । ଯେଉଁଥିରେ ଲେଖା ଅଛି ୨୩ ଜୁନ୍‌ ୨୦୦୭ । ଅର୍ଥାତ ଆଜିର ଦିନରେ ହିଁ ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାତ ଥାପିଥିଲେ ରୋହିତ ଶର୍ମା । ତେବେ ଏହି ପୋଷ୍ଟକୁ ନେଇ ଏବେ କିଛି ୟୁଜର୍ସ ସେ ଦିନିକିଆକୁ ଅବସର ନେଇଥିବା ନେଇ ଗୁଜବ ପ୍ରଚାର କରୁଛନ୍ତି । କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ ।

ଭାରତୀୟ ଦିନିକିଆ ଦଳର ନେତୃତ୍ୱ ନେଉଥିବା ନଜର ଆସିବେ ରୋହିତ ଶର୍ମା । ଅଗଷ୍ଟ ମାସରେ ସେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ନଜର ଆସିପାରନ୍ତି । ଅଗଷ୍ଟ ମାସରେ ୩ଟିକିଆ ଦିନିକିଆ ସିରିଜ ଖେଳିବାକୁ ବାଂଲାଦେଶ ଗସ୍ତ କରିବ ଟିମ୍‌ ଇଣ୍ଡିଆ । ଚଳିତ ବର୍ଷ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବି ଦିନିକିଆ ସିରିଜ ଖେଳିବ । ଏହି ସବୁ ସିରିଜ୍‌ରେ ଯଦି ରୋହିତ ଶର୍ମା ଖେଳନ୍ତି, ତେବେ ସେ ଚଳିତ ବର୍ଷ ମୋଟ ୯ଟି ଦିନିକିଆ ମ୍ୟାଚ୍‌ ଖେଳୁଥିବା ନଜର ଆସିବେ । 

ରୋହିତ ଶର୍ମାଙ୍କ ଦିନିକିଆ କ୍ୟାରିଅର କଥା କହିଲେ ସେ ବର୍ତ୍ତମାନ ସୁଦ୍ଧା ୨୭୩ ମ୍ୟାଚ୍‌ ଖେଳି ନିଜ କ୍ୟାରିଅରରେ ୧୧ ହଜାର ୧୬୮ ରନ୍‌ କରିଛନ୍ତି । ଦିନିକିଆ କ୍ରିକେଟର୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବା ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ରହିଛି । ଦିନିକିଆରେ ସେ ୩୨ଟି ଶତକ ହାସଲ କରିଥିବା ବେଳେ ୫୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।