କନକ ବ୍ୟୁରୋ: କିଏ କୁହେ ହିଟ ମ୍ୟାନ୍ ତ କିଏ କୁହେ ସୁପରହିଟ୍ ଶର୍ମା । କାରଣ ତାଙ୍କ ଖେଳ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ । ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ଼ବଡ଼  ଛକା, ଚୌକା । ତାଙ୍କ ବ୍ୟାଟ୍‌ ଚାଲିଲେ ବୋଲର ନିଜ ଲୟ ହରାଇଥାନ୍ତି । ଆଉ ତାଙ୍କୁ ଆଉଟ୍‌ କରିବାକୁ ରଚିଥାନ୍ତି ସ୍ୱତନ୍ତ୍ର ରଣନୀତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଆଜି ରୋହିତ ଶର୍ମାଙ୍କ ଜନ୍ମଦିନ । ଆଜି ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ଭାରତର ଏହି ଦକ୍ଷ କ୍ରିକେଟର । ତେବେ ଆସନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା ୭ ନମ୍ବର ସ୍ଥାନରୁ ୧ ନମ୍ବର ସ୍ଥାନକୁ ଆସିବାର ସଂଘର୍ଷମୟ ଯାତ୍ରା ।

Advertisment

୧୯୮୭ ମସିହା ଏପ୍ରିଲ ୩୦ ତାରିଖରେ ରୋହିତ ଶର୍ମାଙ୍କ ଜନ୍ମ । ସେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ବାପାଙ୍କ ନାଁ ଗୁରୁନାଥ ଶର୍ମା ଓ ମାଙ୍କ ନାଁ ପୂର୍ଣ୍ଣିମା ଶର୍ମା । ପରିବାରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ପିଲାବେଳେ ଦାଦାଙ୍କ ପାଖରେ ରହି ପାଠ ପଢୁଥିଲେ । ଆଉ ୧୯୯୯ ମସିହାରେ ସେ କ୍ରିକେଟ କ୍ୟାମ୍ପ୍‌ରେ ଯୋଗ ଦେଇଥିଲେ । ଆଉ ସେହି ସମୟରେ ତାଙ୍କୁ କୋଚିଂ ଦେଇଥିଲେ କୋଚ ଦିନେଶ ଲାଡ୍ ।

ରୋହିତ ଶର୍ମା ନିଜ କ୍ୟାରିୟର ଜଣେ ବୋଲର ହିସାବରେ ଆରମ୍ଭ କରିଥିଲେ । ସେ ଅଫ୍‌ ସ୍ପିନ୍‌ ବୋଲିଂ କରିବା ସହ ୮ ନମ୍ବରରେ ବ୍ୟାଟିଂ କରୁଥିଲେ । ହେଲେ ତାଙ୍କ ଭିତରର ଦକ୍ଷତାକୁ ଚିହ୍ନି ପାରିଥିଲେ ତାଙ୍କ କୋଚ୍, ତେଣୁ ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଫୋକସ କରିବାକୁ କହିଥିଲେ । ରୋହିତ ଶର୍ମା ୨୦୦୫ ମସିହାରେ ଲିଷ୍ଟ -ଏ କ୍ରିକେଟ ଆରମ୍ଭ କରିଥିଲେ । ଆଉ ୨୦୦୬ ମସିହାରେ ସେ ମୁମ୍ବାଇ କ୍ରିକେଟ ଟିମ୍‌ ତରଫରୁ ସେ ରଣଜୀ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ଘରୋଇ କ୍ରିକେଟରେ ସେ ବେଶ ଭଲ ପ୍ରଦର୍ଶନ କରିଥିଲେ । ଏହାପରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ସେ ୨୦୦୭ ଜୁନ ୨୩ରେ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ହେଲେ ଏହି ମ୍ୟାଚ୍‌ରେ ତାଙ୍କୁ ବ୍ୟାଟିଂ ମିଳିନଥିଲା । ପରେ ୨୦୦୭ ଟି-୨୦ ବିଶ୍ୱକପରେ ତାଙ୍କୁ ସ୍ଥାନ ମିଳିଥିଲା । ଆଉ ସେହି ସମୟରେ ସେ ୭ ନମ୍ବର ସ୍ଥାନରେ ଆସି ବ୍ୟାଟିଂ କରୁଥିଲେ ।

୨୦୦୭ ଟି-୨୦ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ୨୦୧୧ ଦିନିକିଆ ବିଶ୍ୱକପ ଦଳରୁ ବାଦ ପଡିଥିଲେ ରୋହିତ ଶର୍ମା । ଏହାପରେ କିଛି ବର୍ଷ ସେ ତାଙ୍କ କ୍ୟାରିୟରର ଉତ୍ଥାନ ପତନ ଦେଖିଥିଲେ । ପୁଣି ୨୦୧୩ରେ ସେ ଦଳକୁ ଫେରିଥିଲେ ଆଉ ଏକ ନୂଆ ରୂପରେ । ଏଥର ସେ ୭ ନମ୍ବର ନୁହେଁ ବରଂ ଦଳ ପାଇଁ ଓପେନିଂ କରିଥିଲେ । ଆଉ ନିଜର ପ୍ରଥମ ଓପେନିଂ ମ୍ୟାଚରେ ହିଁ ସେ ଇଂଲଣ୍ଡ ବିରୋଧରେ ଶତକ ହାସଲ କରିଥିଲେ । ଆଉ ସେବେଠାରୁ ଟିମ୍‌ ଇଣ୍ଡିଆର ଓପେନିଂ ସ୍ଥାନ ତାଙ୍କ କବ୍‌ଜାରେ ରହିଛି ।

ଓପେନିଂ କରିବା ସହ ସେ ଅନେକ ବଡ଼ବଡ଼ ରେକର୍ଡର ପାହାଡ଼ ମଧ୍ୟ ଛିଡ଼ା କରିଛନ୍ତି ରୋହିତ ଶର୍ମା । ଦିନିକିଆ କ୍ରିକେଟରେ ଏବେ ଯାଏଁ ୬ ଖେଳାଳି ଦ୍ୱିଶତକ ହାସଲ କରିଛନ୍ତି । ରୋହିତ ଏକମାତ୍ର ଖେଳାଳି ଯିଏ ତିନିଥର ଦ୍ୱିଶତକ ହାସଲ କରିଛନ୍ତି । ସେ ଥରେ ୨୬୪, ଥରେ ୨୦୯ ଆଉ ଥରେ ନଟଆଉଟ୍‌ ରହି ୨୦୮ ରନର ବିଶାଳ ବିଶାଳ ପାଳି ଖେଳିଛନ୍ତି । ସେହିପରି ଟେଷ୍ଟରେ ମଧ୍ୟ ସେ ଥରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପରେ ସେ କେବଳ ଓପେନିଂ ନୁହେଁ ବରଂ ଏବେ ସେ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି । ଅଧିନାୟକ ହିସାବରେ ରୋହିତଙ୍କ ନାଁରେ ଅନେକ ବଡ଼ବଡ଼ ରେକର୍ଡ ରହିଛି । ସେ ୧୦ ମାସ ଭିତରେ ଭାରତକୁ ୨ଟି ଆଇସିସି ଟ୍ରଫି ଦେଇଥିବା ପ୍ରଥମ ଭାରତୀୟ ଅଧିନାୟକ ।

ରୋହିତ ଶର୍ମା ଆଇପିଏଲରେ ମଧ୍ୟ ସଫଳ ଅଧିନାୟକ ରହିସାରିଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଦଳକୁ ୫ ଥର ଚାମ୍ପିୟନ କରାଇଛନ୍ତି । ରୋହିତ ଶର୍ମା ଭାରତ ପାଇଁ ୪୯ ଟେଷ୍ଟ ମ୍ୟାଚ ଖେଳି ୩ ହଜାର ୩୭୯ ରନ କରିଛନ୍ତି, ଯେଉଁଥିରେ ୧୪ ଅର୍ଦ୍ଧଶତକ, ୯ ଶତକ ଓ ଗୋଟିଏ ଦ୍ୱିଶତକ ସାମିଲ ଅଛି । ସେହିପରି ଦିନିକିଆରେ ୨୪୩ ମ୍ୟାଚ ଖେଳି ୯ ହଜାର ୮୨୫ ରନ କରିଛନ୍ତି । ଯେଉଁଥିରେ ୪୮ ଅର୍ଦ୍ଧଶତକ, ୩୦ ଶତକ ଓ ୩ ଦ୍ୱିଶତକ ରହିଛି । ଟି-୨୦ରେ ରୋହିତ ଶର୍ମା ୧୪୮ ମ୍ୟାଚ୍‌ ଖେଳି ୩ ହଜାର ୮୫୩ ରନ୍‌ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୪୧ ଅର୍ଦ୍ଧଶତକ ସାମିଲ ଅଛି ।