କନକ ବ୍ୟୁରୋ: ଓଲିଉଡ୍‌ରେ ବଲିଉଡ୍‌ କଳାକାରଙ୍କ ଅଭିନୟ ଆଉ ନୂଆ କଥା ହୋଇନାହିଁ । ଅତୀତରେ ମିଥୁନ୍‌ ଚକ୍ରବର୍ତ୍ତୀ, ଚନ୍ଦ୍ରଚୂଡ଼ ସିଂହ, ପେଣ୍ଟଲ୍, ସୁଜିତ କୁମାର, ରଣଜିତ୍, ରାହୁଲ ଦେବ, ଚରଣ ରାଜ୍, ଆଶିଷ ବିଦ୍ୟାର୍ଥୀ, ସଦାଶିବ ଅମର୍‌ପୁରକର୍‌, ଶକ୍ତି କପୁର୍‌, ମୁକେଶ ରିଷି, ପ୍ରଦୀପ ରାୱତ୍‌ ଓ ପୁନିତ୍‌ ଇଶାର୍‌ଙ୍କ ସମେତ ବେଶ୍ କେତେକ ବଲିଉଡ୍‌ ଅଭିନେତା ଓଡ଼ିଆ ଛବିରେ ଅଭିନୟ କରିଛନ୍ତି । ଏବେ ଏହି ତାଲିକାରେ ଆଉ ଏକ ନାମ ଯୋଡ଼ିହୋଇଛି । ସେ ହେଲେ ରୋହିତ ରାୟ । ରୋହିତ ଷ୍ଟାର୍‌ପ୍ଲସ୍‌ରେ ‘ଦେଶ୍ ମେଁ ନିକ୍‌ଲା ହୋଗା ଚାନ୍ଦ୍‌’ ଏବଂ ଡିଡି ନ୍ୟାସ୍‌ନାଲ୍‌ରେ ‘ସ୍ୱାଭିମାନ୍‌’ ଭଳି ହିନ୍ଦୀ ଟେଲିଭିଜନ୍‌ ଧାରାବାହିକରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏତଦ୍‌ବ୍ୟତୀତ, ସେ ‘କାବିଲ୍’, ‘ଏକ୍ ଖିଲାଡୀ ଏକ୍ ହସିନା’, ‘ଆପାର୍ଟମେଣ୍ଟ୍‌’, ‘ଏଲ୍‌ଓସି କାର୍‌ଗିଲ୍’, ‘ସୁଟ୍ଆଉଟ୍ ଆଟ୍ ଲୋଖଣ୍ଡୱାଲା’, ‘ଦଶ୍ କହାନିୟାଁ’, ‘ଫ୍ୟାସନ୍’, ‘କାଣ୍ଟେ’ ଓ ‘ପ୍ଲାନ୍’ ସମେତ କେତେକ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

Advertisment

 
ପ୍ରଥମଥର ପାଇଁ ରୋହିତ ରାୟ ଯେଉଁ ଓଡ଼ିଆ ଫିଲ୍ମ ଜରିଆରେ ଓଲିଉଡ୍‌ରେ ପଦାର୍ପଣ କରୁଛନ୍ତି, ତାହା ହେଲା ଆଗଧାଡ଼ିର ପ୍ରଯୋଜକ କୁମାର ପ୍ରୀତମ୍ ସାହୁଙ୍କ ‘ରାମରାଜ୍ୟ’ । ଏହାକୁ ଓଡ଼ିଶାର ପ୍ରଥମ ପ୍ୟାନ୍ ଇଣ୍ଡିଆ ସିନେମା କୁହାଯାଉଛି । ତେବେ ଏଥିରେ ରୋହିତଙ୍କୁ ପଜିଟିଭ୍ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ । ତାଙ୍କ ଚରିତ୍ରକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଗୋପନୀୟ ରଖାଯାଇଛି । ଏହି ସିନେମାରେ ତାଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ‌ରିଲିଜ୍ ପରେ ଜଣାପଡ଼ିବ ।