କନକ ବ୍ୟୁରୋ: ସ୍ଥାନୀୟ ଓଏମ୍ ସ୍କୋୟାର୍ ସ୍ଥିତ ଶ୍ରୀଯା ହସ୍ପିଟାଲ୍ରେ ଆଣ୍ଠୁ ଓ ହିପ୍ ଅସ୍ତ୍ରୋପଚାର ଏବଂ ପ୍ରତ୍ୟାରୋପଣ ପାଇଁ ଉଦ୍ଦିଷ୍ଟ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ସେବା ଆରମ୍ଭ ହୋଇଛି । ସଂପ୍ରତି ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିକୋଣରୁ ଏହା ଏକ ଉନ୍ନତ ପ୍ରକ୍ରିୟା ଯେଉଁଥିରେ ଏକ ରୋବୋଟିକ୍ ହାତ ଅସ୍ଥି ଶଲ୍ୟ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଓ ପ୍ରତ୍ୟାରୋପଣରେ ସାହାଯ୍ୟ କରିଥାଏ । ଏହି ସେବା ଉଦ୍ଘାଟନ ଅବସରରେ ହସ୍ପିଟାଲ୍ର ସମସ୍ତ ୪ଜଣ ନିର୍ଦ୍ଦେଶକ ଅକ୍ଷୟ କୁମାର ପୁହାଣ, ମନୋଜ କୁମାର ଦାଶ, ରଶ୍ମି ରଞ୍ଜନ ପରିଡ଼ା ଓ ଗଣେଶ ପ୍ରସାଦ କରଙ୍କ ସମେତ ଅସ୍ଥିଶଲ୍ୟ ଡାକ୍ତର ଅଂଶୁମାନ ସାହୁ ଓ ହସ୍ପିଟାଲ୍ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ସରକାରଙ୍କ ଆୟୁଷ୍ମାନ୍ ଭାରତ କାର୍ଡ ମାଧ୍ୟମରେ ରୋଗୀମାନେ ଚିକିତ୍ସା ପାଇପାରିବେ। ଏହା ସହିତ ଆୟୁଷ୍ମାନ୍ କାର୍ଡ ନ ଥିବା ରୋଗୀଙ୍କ ପାଇଁ ଏହି ସେବା ୨ଲକ୍ଷରୁ ଆରମ୍ଭ ହେଉଛି ।
ଯାହା ଅନ୍ୟ ସମସ୍ତ ବୀମା କମ୍ପାନୀ ମାଧ୍ୟମରେ ମଧ୍ୟ ହୋଇପାରିବେ । ଏହି ପ୍ରଣାଳୀର ଅସ୍ତ୍ରୋପଚାର କଲେ ସାଧାରଣତଃ କମ୍ ଯନ୍ତ୍ରଣା, କମ୍ ସଂକ୍ରମଣ, ସଠିକ୍ ନିରୂପଣ ଓ ଶୀଘ୍ର ଆରୋଗ୍ୟ ହୋଇଥାଏ । ଜାପାନ୍- ଭାରତ ଟେକ୍ନୋଲୋଜିରେ ନିର୍ମିତ ଏହି ରୋବୋଟିକ୍ ମେସିନ୍ ମାଧ୍ୟମରେ ଏହି ସର୍ଜରୀ ଅତ୍ୟନ୍ତ ସୁଫଳ ହୋଇଥାଏ, ଯାହା ଏବେ ଶୀଯା ହସ୍ପିଟାଲ୍ରେ ଅଭିଜ୍ଞ ଅସ୍ଥିଶଲ୍ୟ ଡାକ୍ତରଙ୍କ ଦ୍ବାରା କରାଯିବ । ଏଠାରେ ସୁଚନାଯୋଗ୍ୟ ୨୦୨୧ରେ ଆରମ୍ଭ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଶ୍ରୀଯା ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ରେ ସମସ୍ତ ରୋଗର ସଫଳ ଚିକିତ୍ସା ସୁଲଭ ମୂଲ୍ୟରେ ହେଉଛି ବୋଲି ହସ୍ପିଟାଲ୍ ପକ୍ଷରୁ ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି ।