କନକ ବ୍ୟୁରୋ: ଆଇପିଏଲ୍‌ରେ ନୂଆ ସଦସ୍ୟଙ୍କ ଏଣ୍ଟ୍ରି । ବୁଲୁଛି, ଖେଳୁଛି ଖେଳାଳିଙ୍କ ସହ ମଜାମସ୍ତି କରୁଛି । ଇସାରାରେ କଥା ହୋଇ କଥା ବି ବୁଝୁଛି । ଏହି ନୂଆ ସଦସ୍ୟକୁ ଦେଖି ଖେଳାଳି ବି ଆଶ୍ଚର୍ଯ୍ୟ ଚକିତ । ଆମେ କୌଣସି କ୍ରିକେଟର କିମ୍ବା ସପୋର୍ଟ ଷ୍ଟାଫଙ୍କ ବିଷୟରେ କହୁନୁ । ଆମେ କହୁଛୁ ଏକ ରୋବଟ୍ କୁକୁର ବିଷୟରେ । ଦେଖିବାକୁ ଠିକ୍‌ କୁକୁର ଭଳି, ତେଣୁ ଏହାକୁ ରୋବର୍ଟ ଡଗ୍‌ ନାଁ ଦିଆଯାଇଛି । ଏଥର ଆଇପିଏଲ୍‌ରେ ଖେଳାଳିଙ୍କ ସହ ନଜର ଆସିଲା ରୋବର୍ଟ କୁକୁର । 

Advertisment

ଆଇପିଏଲ୍‌ ପ୍ରସାରଣ ଟିମ୍‌ରେ ସାମିଲ ହେଲା କୁକୁର । ଏହା ଏକ ନୂଆ କିସମର କୁକୁର । ଏହାକୁ ନେଇ ଆଇପିଏଲ୍‌ର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ସେୟାର କରାଯାଇଛି । ଭିଡିଓରେ ନ୍ୟୁଜିଲ୍ୟାଣ୍ଡ୍‌ର ପୂର୍ବତନ କ୍ରିକେଟର ତଥା ଜଣାଶୁଣା କମେଣ୍ଟେଟର୍‌ ଡାନି ମୋରିସନ୍‌ ଆଇପିଏଲ୍‌ରେ ରୋବଟିକ୍‌ ଡଗ୍‌ର ଅନାବରଣ କରିଥିଲେ । ରୋବର୍ଟ ଡଗ୍ ସହ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷି ଟପେଲ୍‌ ବି ମଜାମସ୍ତି କରୁଥିବା ନଜର ଆସିଛନ୍ତି । ଏହି ରୋବର୍ଟ ଡଗ୍‌ ଆଇପିଏଲ୍‌ କଭରେଜ୍‌ରେ ପ୍ରମୁଖ ଭୂମିକା ତୁଲାଇବା ନେଇ ସୂଚନା ଦେଇଛନ୍ତି ଡାନି ମୋରିସନ୍ । ଏହା ଏକ ବିଶେଷ ଧରଣର ରୋବଟିକ୍‌ କୁକୁର । 


ଏହି ରୋବର୍ଟ କୁକୁର ଦେହରେ ସ୍ୱତନ୍ତ୍ର ସର୍ଭିଲାନ୍ସ ବ୍ରଡ୍‌କାଷ୍ଟ କ୍ୟାମେରା ଲାଗିଛି । ଏକ ଭିଡିଓରେ କୁକୁରଟି ଡାନି ମୋରିସନ୍‌ଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । କ୍ୟାମେରାକୁ ଦେଖି ହାତ ବି ହଲାଉଛି, ଯାହା ଏହାର ପ୍ରସାରଣକାରୀ ଟିମ୍‌ ଓ ଦର୍ଶକଙ୍କ ମଧ୍ୟରେ ଯୋଡ଼ିବା କ୍ଷମତାକୁ ଦର୍ଶାଉଛି । ଏବେ ରୋବର୍ଟର ନାଁ କଣ ଦିଆଯିବ ତାହାକୁ ନେଇ ସଜେସନ୍‌ ଦେବାକୁ କୁହାଯାଇଛି । ଭିଡିଓ ସେୟାର କରିବା ସହ କ୍ୟାପ୍‌ସନ୍‌ରେ ଲେଖାଅଛି, ’ଆମେ ଚାହୁଁଛୁ ଆପଣ ଆମ ଟିମ୍‌ର ନୂଆ ସଦସ୍ୟର ନାଁ ଦିଅନ୍ତୁ ।‘ ଏହାପରେ କମେଣ୍ଟ ବକ୍ସରେ ରୋବର୍ଟ କୁକୁର କଣ ନାଁ ଦିଆଯିବ ତାହାକୁ ନେଇ ଅନେକ ପ୍ରସ୍ତାବ ଦେଇଛନ୍ତି ୟୁଜର୍ସ । 

ସେପଟେ ଆଇପିଏଲ୍‌ କଥା କହିଲେ ଏପ୍ରିଲ ୧୪ ସୁଦ୍ଧା ୩୦ଟି ମ୍ୟାଚ ଶେଷ ହୋଇ ସାରିଛି । ୮ ପଏଣ୍ଟ୍‌ ସହ ଗୁଜରାଟ ଟାଇଟନ୍ସ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ରହିଥିବା ବେଳେ ୫ଟି ପରାଜୟ ସହ ସର୍ବନିମ୍ନରେ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ରହିଛି । ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଦଳର ପ୍ରଦର୍ଶନ ପ୍ରଭାବୀ ରହିଛି ।