କନକ ବ୍ୟୁରୋ : ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା, ମୋବାଇଲ୍ । ବାଲେଶ୍ବର, ଜଳେଶ୍ବର ଥାନା ୬୦ ନମ୍ବର ଜମାଳପୁର ବାଇପାସ୍‌ ନିକଟରେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ବାଣିଦା ଗାଁର ଅରୁଣ ରାଉତ କାମ ସାରି ଘରକୁ ଫେରୁଥିବାବେଳେ ଜମାଳପୁର ବାଇପାସ୍‌ ନିକଟରେ କିଛି ଦୁର୍ବୃତ୍ତ ହଠାତ୍ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଲୁଟ୍ ଉଦ୍ଦେଶ୍ୟରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିବା ଅଭିଯୋଗ ହୋଇଛି । ଲୁଟ୍ ପରେ ସେଠାରୁ ଚମ୍ପଟ ମାରିଥିଲେ ଲୁଟେରା । ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଅରୁଣଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଜଳେଶ୍ୱର ପୁଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।