କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ଚୋରିରେ ଲାଗୁନି ବ୍ରେକ୍‌ । କବାଟ ତାଡ଼ି ଲୁଟିନେଲେ ଟଙ୍କା ସୁନା । ଖଲ୍ଲିକୋଟ ଥାନା ବାକୁଟ ଗାଁର ବୁଲା ପଲେଇଙ୍କ ଘରୁ ଗତକାଲି ରାତିରେ କଳାକନା ବୁଲାଇଛନ୍ତି ଲୁଟେରା । ୨୦ ଗ୍ରାମ ସୁନା, ୫୦ଗ୍ରାମ ରୂପା, ଏକ ୟୁନିକର୍ଣ୍ଣ  ବାଇକ ଓ ୧୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Advertisment

ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସୂଚନା ଅନୁସାରେ ଗୋଟିଏ ମାସ ଭିତରେ ଖଲ୍ଲିକୋଟ ଅଞ୍ଚଳରେ ୭ଟି ଘରୁ ଚୋରି ହେଲାଣି । ପ୍ରଥମ ଏପ୍ରିଲ ୮ ତାରିଖ ଦିନ ନୂତନ ବ୍ରହ୍ମପୁର ଗାଁରୁ ଚୋରି ହୋଇଥିଲା । ପରେ ଡଅଁର, ପୁଣି ନୂତନ ବ୍ରହ୍ମପୁର, ଚିକିଲି, ଖଲ୍ଲିକୋଟ ଭଳି ବିଭିନ୍ନ ଗାଁରୁ ପାଖାପାଖି ୩୦୦ ଗ୍ରାମରୁ ଅଧିକ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ପୁଲିସ ଚୋର ଧରିବାରେ ବିଫଳ ହୋଇଛି ।

ସେପଟେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ୍ କରିବାକୁ ଘରେ ପଶିଥିଲେ ଚୋର । ଆଉ ହଠାତ୍‌ ପହଂଚିଗଲେ ଘର ମାଲିକ । ଦୁଇ ଜଣ ଲୁଟେରାଙ୍କୁ ଦେଖି ପାଟି କରିଥିଲେ ମଧ୍ୟ ଲୁଟେରାଙ୍କ କବଳରୁ ବର୍ତ୍ତିପାରିନଥିଲେ । ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟିନେଇଛନ୍ତି ଲୁଟେରା । ଘଟଣା ଘଟିଛି ତାଳଚେର ଦେଉଳବେଡା ଅଂଚଳରେ । ଖବର ପାଇ କୋଲିୟାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଦେଉଳବେଡା ଅଞ୍ଚଳର ଅଶୋକ ଦାସଙ୍କ ପରିବାରବର୍ଗ ଗତକାଲି ଏକ ନିର୍ବନ୍ଧରେ ଯୋଗ ଦେବାକୁ ଘର ତାଲା ପକାଇ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ଅଶୋକ ଓ ତାଙ୍କ ଭଣଜା ଘରକୁ ଫେରି ଦେଖନ୍ତି ତ ଘରର କବାଟ ଖୋଲା ଅଛି । ଭିତରକୁ ଯିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଚୋରି କରୁଥିବା ଦେଖି ପାଟି କରିଥିଲେ ।

ତେବେ ଦୁଇ ଦୁର୍ବୃତ୍ତ ହଠାତ ଏକ ଭୁଜାଲିରେ ଅଶୋକଙ୍କ ଭଣଜା ଅସିତ ଧଳଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଭୟରେ ଅଶୋକ ଓ ତାଙ୍କ ଭଣଜା କିଛି କରିବା ପୂର୍ବରୁ ଦୁଇ ଦୁର୍ବୃତ୍ତ ଘରର ଆଲମିରା ଭାଙ୍ଗି ପ୍ରାୟ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ । ପରେ ଅଶୋକ ପୋଲିସକୁ ଜଣାଇବା ସହ ଭଣଜାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇଥିବା ଜଣାପଡିଛି ।

ଘଟଣା ସ୍ଥଳରେ କୋଲିୟାରୀ ପୁଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି । ଘର ପଛପଟୁ ପୋଲିସ ଏକ ବାଇକ ଜବତ କରି ସହ ଘରର ସିସିଟିଭି ହାର୍ଡ ଡିସ୍କ ଓ ଚୋରି ହୋଇଥିବା କିଛି ସୁନା ଓ ରୁପା ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ଜବତ ହୋଇଥିବା ବାଇକଟି ଲୁଟେରା ମାନେ ଛାଡି ପଳାଇଥିବା ଅନୁମାନ କରାଯାଉଛି ।