କନକବ୍ୟୁରୋ : ପାଣିକୋଇଲି ସୁନା ଦୋକାନରୁ ଡକାୟତି ଓ ଗୁଳିମାଡ଼ ଘଟଣା। ୩ ଦିନ ହେଲାଣି ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ ଘଟଣା ସ୍ଥଳରେ ତନାଘନା କରୁଛି ଏସଟିଏଫର ୩ ଜଣିଆ ଟିମ୍ । ଦୋକାନର ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ କରୁଛି ପୁଲିସ । ଏହି ଘଟଣା ସାରାରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ଏତେ ବଡ କାଣ୍ଡ କେମିତି ଘଟିଲା ତାହା ଆଲୋଚନାର ବିଷୟ ହୋଇଛି । ଅନ୍ୟପଟେ ଏହି ଘଟଣାର ଖୋଳତାଡ ଚଳାଇଛି ଏସଟିଏଫ। ଗତକାଲି ଏସଟିଏଫର ୩ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ଦୋକାନର ସିସିଟିଭି ଫୁଟେଜ୍ ଏବଂ ଦୋକାନୀଙ୍କ ଏତଲା ଆଧାରରେ ଦୋକାନ ଭିତର ଓ ବାହାର ପଟେ ଯାଞ୍ଚ କରିଛନ୍ତି । ଦୋକାନ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ଫେରାର୍ ଡକାୟତ ମାନଙ୍କୁ ଧରିବା ପାଇଁ ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି । ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହାୟତା ନିଆଯାଇଛି ।
କିନ୍ତୁ ପ୍ରାଥମିକ ତଦନ୍ତରୁ ବିହାର ଛାପ୍ରା ଜିଲ୍ଲାର ଡକାୟତମାନେ ଲୁଟ୍ ଓ ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି । ଜବତ ହୋଇଥିବା ପାନକାର୍ଡ ଓ ଅଧାରକାର୍ଡରୁ ଏହା ସ୍ପଷ୍ଟ ହେଉଛି । ତେବେ ଧୂର୍ତ୍ତ ଲୁଟେରା ଓଡ଼ିଶା ନମ୍ବର ଗାଡିରେ ଆସି ଲୁଟ୍ କରିବା ସହ ଗୁଳିମାଡ କରିଥିଲେ । ତେବେ ପାଣିକୋଇଲି ଥାନା ଏବଂ ଯାଜପୁର ଏସପିଙ୍କ ଅଫିସଠାରୁ ମାତ୍ର ୫୦୦ ମିଟର ଦୂରରେ ଲୁଟ୍ ହୋଇଥିବାରୁ ପୋଲିସର ଦକ୍ଷତା ନେଇ ପ୍ରଶ୍ନ ଉଠିଛି ।
----