କନକ ବ୍ୟୁରୋ: ଲୁଟ ପାଇଁ ପିଛା କରୁଥିଲେ । ଆଉ ସୁଯୋଗ ପାଇ ବିଚ ରାସ୍ତାରେ ଗୁଳି ଚଳାଇଲେ ।  ଲୋକେ କାବୁ କରିବାକୁ ଉଦ୍ୟମ କରିବାରୁ ଲୋକଙ୍କ ଉପରେ ବି ଗୁଳି କରିଥିଲେ ଲୁଟେରା । ଯାଜପୁର ପାଣିକୋଇଲିରେ ଏହାକୁ ନେଇ ଆଜି  ମହାଭାରତ ହୋଇଛି । ଲୁଟେରାଙ୍କ ଗୁଳିରେ ଦୁଇଜଣଙ୍କ ଜୀବନ ଯାଇଛି ।  ଜଣେ ଗୁରୁତର ହୋଇଛନ୍ତି । ପୁରା ଫିଲ୍ମଷ୍ଟାଇଲରେ ଆଜି ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଛି ।

Advertisment

ନାଁ ଅଛି ପୋଲିସକୁ ଭୟ ନାଁ ଆଇନ ବ୍ୟବସ୍ଥାକୁ ଖାତିର । ସୁନା ଦୋକାନିଙ୍କଠାରୁ ଟଙ୍କା ଲୁଟିବାକୁ ରାସ୍ତା ଉପରେ ଗୁଳିମାଡ଼ କରିଛନ୍ତି । ଲୋକେ ଧରିବାକୁ ଉଦ୍ୟମ କରିବାରୁ ଭିଡ଼ ଉପରକୁ ମଧ୍ୟ ଗୁଳି ଫୁଟାଇଛନ୍ତି । ଦୁର୍ବତ୍ତଙ୍କ ଗୁଳିରେ ୨ଜଣଙ୍କ ଜୀବନ ଯାଇଛି । ଆଉ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଲୋକେ ଘେରିଯିବା ପରେ ଜଣେ ବାଇକ୍‌ ଚାଳକଙ୍କୁ ଗୁଳି ମାରି ତାଙ୍କ ବାଇକ୍‌ ନେଇ ଫେରାର ହୋଇଯାଇଛନ୍ତି ୩ ଲୁଟେରା । ଜଣେ ଲୁଟେରାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟ ଜଣେ ଲୁଟେରାକୁ କାବୁ କରି ସଟର ପକାଇ ଜଗି ବସିଥିଲେ। ପୋଲିସ ପହଁଚି ନିଜ କବଜାକୁ ନେଇଛି। 

ଶନିବାର ଅପରାହ୍ଣ 
ସ୍ଥାନ- ପାଣିକୋଇଲି ବଜାର 
ଦୋକାନ ବନ୍ଦ କରି ବ୍ୟାଙ୍କକୁ ଯାଉଥିଲେ ସୁନା ଦୋକାନୀ।  ପାଖରେ ଥିଲା ଟଙ୍କା ବ୍ୟାଗ୍। ସେହି ବ୍ୟାଗ୍ ଲୁଟ୍ ପାଇଁ ପୂର୍ବରୁ ଛକି ରହିଥିବା ପାଂଚ ଲୁଟେରା ଦୋକାନ ସାମନାରେ ହିଁ ଆତଙ୍କ ଖେଳାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଗୁଳିମାଡ କରିଥିଲେ। 

ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ପରେ ତାତିଥିଲେ ଲୋକେ । କାବୁ ହୋଇଥିବା ଲୁଟେରାଙ୍କୁ ମନଇଛା ଛେଚିଥିଲେ। ପୋଲିସ ଦୁବୃତ୍ତକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରିସ୍ଥିତି ଟିକେ ଶାନ୍ତ ପଡିବା ପରେ ସଟର ଖୋଲି ସଟର ଭିତରେ ଥିବା ଲୁଟେରାକୁ ହେପାଜତକୁ ନେଇଥିଲା ପୋଲିସ। ଯାଜପୁରର ଏହି ଘଟଣା ସାରାରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି। ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ?