କନକ ବ୍ୟୁରୋ : ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିର୍ମାଣ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଯେଉଁ ଉଦ୍ଦେଶ୍ୟରେ ଏହା ପରିକଳ୍ପନା କରାଯାଇଥିଲା ତାହା ସାଧିତ ହୋଇପାରିନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ଏହା ଭାଙ୍ଗିରୁଜି ଗଲାଣି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

Advertisment

କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥ ଡୁମୁରିପୁଟ ଠାରେ ରହିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ପୂର୍ତ୍ତ ବିଭାଗ ପକ୍ଷରୁ ୧ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି କୋଠା । ଯାତ୍ରୀଙ୍କ ସୁବିଧା ପାଇଁ ବିଶ୍ରାମାଗାର, କାଫେ, ରିଟେଲ ସପ୍, ଗାଡ଼ି ପାର୍କିଂ ଭଳି ଅନେକ ସୁବିଧା ଅଛି । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଭାଙ୍ଗିରୁଜି ଗଲାଣି।  ଶୌଚାଳୟ ବି ବ୍ୟବହାର ଉପଯୋଗୀ ନାହିଁ । ସବୁ ଲାଇଟ ଖରାପ ହୋଇଗଲାଣି । ସଂଧ୍ୟା ହେଲେ ଅସାମଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଉଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର ।

୨୦୧୮ ଅଗଷ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଲୋକାର୍ପିତ କରିଥିଲେ ପୂର୍ବ ସରକାର । ସେହିବର୍ଷ ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା ହୋଇଥିଲା । ହେଲେ ତାହା ସମ୍ଭବ ନହେବାରୁ ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ବିଭାଗକୁ ଏହି ସବୁ କେନ୍ଦ୍ର ହସ୍ତାନ୍ତର କରାଗଲା । ପର୍ଯ୍ୟଟନ ବିଭାଗ ପିପିପି ମୋଡ଼ରେ ପରିଚାଳନା ଓ ରକ୍ଷଣାବେକ୍ଷଣ କରୁଥିଲା । ହେଲେ ଆନ୍ତରିକତା ଅଭାବରୁ ତାହା ବି ସଫଳ ହୋଇପାରିନାହିଁ । ପରେ ଏକ ଘରୋଇ ସଂସ୍ଥା ପରିଚାଳନା କରୁଥିଲା । ସେ ବି ଏଥିରେ ଫେଲ ମାରିଛି।

ଖରା ଦିନେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଯାତ୍ରୀମାନେ ସୁବିଧା କେନ୍ଦ୍ର ଖୋଜୁଛନ୍ତି । ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଥପ୍ରାନ୍ତ ସୁବିଧା କେନ୍ଦ୍ରର ପୁନଃରୁଦ୍ଧାର ପାଇଁ ଦାବି କରାଯାଇଛି ।