କନକ ବ୍ୟୁରୋ : ଦୂରଦୂରାନ୍ତରୁ ଆସୁଥିବା ପଥଚାରୀଙ୍କ ପାଇଁ ତିଆରି ହୋଇଛି ଅବସ୍ଥାନ ଗୃହ । ଦାମୀ କବାଟରୁ ନେଇ ସବୁକିଛି ସୁବିଧା ରହିଛି । ଏନେଇ ଟଙ୍କା ବି ଖର୍ଚ୍ଚ ହୋଇଛି । ହେଲେ କପ୍ତିପଦା ବ୍ଲକ ଝୀଙ୍କପଦାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର କାମରେ ଆସୁନି । ଉଦଘାଟନ ପରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ପଥ ।

Advertisment

ପଥଚାରୀଙ୍କଠାରୁ ନେଇ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିଲା ଅବସ୍ଥାନ ଗୃହ । ଦୂରରୁ ଦେଖିଲେ ଆଲିଶାନ ଘର ଭଳି ଦେଖାଯାଉଛି । ଲାଗିଛି ଦାମୀ କାଠର କବାଟ, ବେସିନ୍ ସହିତ ଅନ୍ୟାନ୍ୟ ସାମଗ୍ରୀ । ହେଲେ ଲକ୍ଷାଧିକ ଟଙ୍କାର ଏ ସବୁ ଜିନିଷ ଏବେ କାମରେ ନଆସି ଖତ ଖାଉଛି । ବାଲେଶ୍ୱର ରାଜ୍ୟ ରାଜପଥର କପ୍ତିପଦା ବ୍ଲକ ଝୀଙ୍କପଦାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୋଟି କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହାକୁ ନିର୍ମାଣ କରାଯାଇଥିଲା । ହେଲେ ଉଦଘାଟନ ହେବାର ଦୁଇ ବର୍ଷ ପରେ କାମ କରୁଥିବା କର୍ମଚାରୀଙ୍କୁ ଛଟେଇ କରି ଦିଆଗଲା । ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଭୂତକୋଠା ପାଲଟିଗଲାଣି । ଚାରିପଟେ ଲତା ଏବଂ ଅଳିଆ ଆବର୍ଜନାରେ ଭର୍ତି ହୋଇଯାଇଥିବା ବେଳେ ଏହା ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ତେବେ ପୂର୍ବରୁ କାମ କରୁଥିବା କର୍ମଚାରୀଙ୍କ ନିକଟରେ ମୁଖ୍ୟ ଗେଟର ଚାବି ରହିଛି । ଦେଖାଶୁଣା ନହେବାରୁ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଭାଙ୍ଗିଗଲାଣି । ଏହା ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସରକାରୀ ତହବିଲରୁ କୋଟି କୋଟି ଖର୍ଚ୍ଚ ହୋଇ ତିଆରି ହୋଇଥିବା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇପାରିଲେ ବହୁ ପଥଚାରୀ ଓ ପର୍ଯ୍ୟଟକ ଉପକୃତ ହୋଇପାରିବେ ।